ପ୍ରୟାଗରାଜ: ନିରଞ୍ଜନୀ ଆଖଡା ମୁଖ୍ୟ ତଥା ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କ ନିଧନକୁ ୨୪ ଘଣ୍ଟା ହୋଇଗଲାଣି । ମହାରାଜଙ୍କ ନିଧନ ପରେ ସନ୍ଥ ସମାଜ ସମେତ ହିନ୍ଦୁ ସନାତନକୁ ବିଶ୍ବାସ କରୁଥିବା କୋଟି କୋଟି ଭକ୍ତ ଓ ସନ୍ଥ ଏବେ ଗଭୀର ଦୁଃଖରେ । ମହାରାଜଙ୍କ ନିଧନକୁ ନେଇ ପୋଲିସ ତଦନ୍ତ ଯୋରଦାର କରିଛି ।
ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ, ଆଜି ପ୍ରୟାଗରାଜ ବାଘମ୍ବରୀ ମଠ ପହଞ୍ଚିଥିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଆଦିତ୍ୟନାଥ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଅନ୍ତିମ ଦର୍ଶନ କରିଥିଲେ । ପରେ ମହନ୍ତଙ୍କ ଅନୁଗାମୀ ସାଧୁ ସନ୍ଥଙ୍କୁ ସମବେଦାନ ଜଣାଇଥିଲେ ଯୋଗୀ । ପରେ ଗଣମାଧ୍ୟମକୁ ସୂଚନା ଦେଇ ଯୋଗୀ କହିଥିଲେ , ମହନ୍ତ ନରେନ୍ଦ୍ର ଗିରି ମହାରାଜ ସମାଜର ସେବା କରିଛନ୍ତି । ମାନବଜାତିର କଲ୍ୟାଣ ପାଇଁ କାମ କରିଛନ୍ତି । କୁମ୍ଭମେଳା ୨୦୧୯ କୁ ସଫଳତାର ସହ ଶେଷ କରିବା ବଡ ଉପଲବ୍ଧି ଥିଲା । କୁମ୍ଭମେଳାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ବ୍ରହ୍ମଲୀନ ହେବା ଆଧ୍ୟାତ୍ମିକ ସମାଜ ପାଇଁ ଅପୂରଣୀୟ କ୍ଷତି ।
ଯୋଗୀ ଆହୁରି କହିଥିଲେ ଏହି ଦୁଃଖଦ ସମୟରେ ମୁଁ ଆଧ୍ୟାତ୍ମିକ ଜଗତର ସମସ୍ତ ପୂଜ୍ୟ ସାଧୁ ସନ୍ଥଙ୍କୁ ଧର୍ଯ୍ୟ ରଖିବା ପାଇଁ ନିବେଦନ କରୁଛି । ପ୍ରଦେଶ ସରକାର, ରାଜ୍ୟବାସୀଙ୍କ ତରଫରୁ ପୂଣ୍ୟାତ୍ମାଙ୍କୁ ଭଗବାନ ଶ୍ରୀରାମ ତାଙ୍କ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ । ସେହିପରି ଯୋଗୀ କହିଥିଲେ, ଘଟଣାକୁ ନେଇ ଅନେକ ଦିଗ ଆସୁଛି । ପୂରା ଘଟଣାର ପର୍ଦାଫାସ ହେବ । ଏକ ସ୍ବତନ୍ତ୍ର ଟିମ ଘଟଣାର ତଦନ୍ତ କରୁଛି । ଦୋଷୀ ନିଶ୍ଚିତ ଦଣ୍ଡ ପାଇବେ । ସାଧୁ ସନ୍ଥଙ୍କ ସମ୍ମାନ ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଥିଲେ ଯୋଗୀ । ଏହାବାଦ ଆସନ୍ତାକାଲି (ବୁଧବାର) ମୃତଦେହ ବ୍ୟବଚ୍ଛେଦ ପରେ, ଆଧ୍ୟାତ୍ମିକ ରୀତିନୀତି ଅନୁଯାୟୀ ବାଘମ୍ବରୀ ମଠ ପରିସରରେ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କୁ ସମାଧୀ ଦିଆଯିବ ବୋଲି ଘୋଷଣା କରିଥିଲେ ।
ମହନ୍ତ ମହାରାଜଙ୍କ ସ୍ମୃତିଚାରଣ କଲେ ଯୋଗୀ...
ମହନ୍ତ ମହାରାଜଙ୍କ ସ୍ମୃତିଚାରଣ କରି ଯୋଗୀ କହିଥିଲେ, ପ୍ରୟାଗରାଜ କୁମ୍ଭର ଭବ୍ୟତା, ସୁରକ୍ଷା, ୧୩ ଆଖଡା ମଧ୍ୟରେ ସମନ୍ବୟ, ଆଚାର୍ଯ୍ୟ ଓ ଧର୍ମାଚାର୍ଯ୍ୟଙ୍କ ମଧ୍ୟରେ ଉତ୍ତମ ଯୋଗ ସୂତ୍ର ସ୍ଥାପନ, ସମସ୍ତଙ୍କୁ ସମ୍ମାନ ସହ ନିମ୍ନସ୍ତରରେ ଥିବା ସନ୍ଥଙ୍କ ସୁବିଧା ସୁଯୋଗ ଓ ସୁରକ୍ଷା ପାଇଁ ତାଙ୍କର ଭୂମିକା ଆଧ୍ୟାତ୍ମିକ ଜଗତରେ ଲିପିବଦ୍ଧ ହୋଇ ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ