ଭୋପାଳ: ବିକାଶ ଦୁବେ ଗିରଫ । ଉତ୍ତରପ୍ରଦେଶ କାନପୁରରେ 8 ଜଣ ପୋଲିସଙ୍କୁ ହତ୍ୟା କରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ମଧ୍ୟପ୍ରଦେଶରୁ ଗିରଫ ହୋଇଛି । ଉଜ୍ଜୈନରୁ ତାଙ୍କୁ ଗିରଫ କରିଯାଇଥିବା ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି ।
ସୂଚନାଥାଉକି, ଗତ ଗୁରୁବାର ବିଳମ୍ବିତ ରାତିରେ ବିକାଶ ଦୁବେକୁ ପୋଲିସ ଏନକାଉଣ୍ଟର କରିବାକୁ ଯାଇଥିବାବେଳେ କାନପୁରରେ ବିକାଶ ଦୁବେ ଓ ତାର ସହଯୋଗୀ ପୋଲିସଙ୍କ ଉପରକୁ ଗୁଳିମାଡ କରିଥିଲେ । ଯେଉଁଥିରେ 8 ପୋଲିସ ଶହୀଦ ହୋଇଥିବାବେଳେ 7 ଗୁରୁତର ହୋଇଥିଲେ । ଯାହାପରେ ଉତ୍ତର ପ୍ରଦେଶ ପୋଲିସ ବିକାଶ ଦୁବେକୁ ଧରିବା ପାଇଁ ଚାରିଆଡେ ଖୋଳତାଡ ଆରମ୍ଭ କରିଥିଲା ।
ଘଟଣା ପରେ ବିକାଶ ଫେରାର ଥିଲା । ତାକୁ ଖୋଜିବା ଲାଗି ପୋଲିସ 20ଟି ଟିମ୍ ଗଠନ କରିଥିଲା । ତାର ବିଭିନ୍ନ ସମ୍ପର୍କୀୟଙ୍କ ଠାରୁ ଆରମ୍ଭ କରି ସହଯୋଗୀଙ୍କ ଘରକୁ ତନତନ କରି ତନଖି ଥିଲା ପୋଲିସ । ଏହି ସମୟରେ ଏକାଧିକ ଏନକାଉଣ୍ଟରରେ ତାର 3 ଜଣ ସହଯୋଗୀଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ ।
ଏହାସହ ବିକାଶକୁ ଧରାଇଦେଲେ 5 ଲକ୍ଷ ଟଙ୍କାର ପୁରସ୍କାର ମିଳିବ ବୋଲି ମଧ୍ୟ ପୋଲିସ ଘୋଷଣା କରିଥିଲା । ଅନ୍ୟପଟେ ବିକାଶକୁ ପୋଲିସର ଖବର ଦେଉଥିବା ଅଭିଯୋଗରେ ଥାନାଧିକାରୀଙ୍କୁ ସସପେଣ୍ଡ କରାଯାଇଛି ।
ତେବେ ପୋଲିସ ଠାରୁ ଆରମ୍ଭ କରି ରାଜନୈତିକ ଦଳ ସହିତ ତାର ସମ୍ପର୍କ ଥିବାରୁ ତା ବିରୋଧରେ ଏକାଧିକ ମାମଲା ଥିଲେ ମଧ୍ୟ ସେ କେବେ ପୋଲିସର ହିଟ୍ଲିଷ୍ଟକୁ ଆସିନଥିଲା । ଏହି ଘଟଣା ପରେ ଉତ୍ତରପ୍ରଦେଶ ପୋଲିସର କଡା ନଜରରେ ସେ ରହିଥିଲା । ତେବେ ୟୁପି ପୋଲିସ ତାକୁ ଏନକାଉଣ୍ଟର କରିପାରନ୍ତି ବୋଲି ମଧ୍ୟ ସୂଚନା ମିଳୁଥିଲା ।
ସୂଚନା ଅନୁଯାୟୀ, ପୋଲିସ ଓ ରାଜନୈତିକ ଦଳ ସହିତ ବିକାଶର ଏଭଳି ସମ୍ପର୍କ ରହିଥିଲା ଯେ, ସେ ରାଜନାଥ ସିଂଙ୍କ ସରକାରର ଜଣେ ମନ୍ତ୍ରୀଙ୍କୁ ଥାନା ଭିତରେ ଗୁଳି କରିଥିଲେ ମଧ୍ୟ ପ୍ରମାଣ ଅଭାବରୁ ଖସି ଯାଇଥିଲା । ଏହାସହ ବିକାଶ ବିରୋଧରେ ବିଭିନ୍ନ ଥାନାରେ ପାଖାପାଖି 150 ମାମଲା ରହିଛି ।
ତେବେ ଦୀର୍ଘ ସପ୍ତାହେ ପରେ ବିକାଶକୁ ମଧ୍ୟପ୍ରଦେଶର ଉଜ୍ଜୈନରୁ ଧରାଯାଇଥିବା ସ୍ପଷ୍ଟ ହୋଇଛି । ଯାହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ସେପେଟ ବିକାଶର ଗିରଫ ନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ମଧ୍ୟ ସ୍ପଷ୍ଟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ