ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାରତ ବିରୋଧରେ ମିଥ୍ୟା ଭିଡିଓ ପୋଷ୍ଟ ମାମଲାକୁ ନେଇ ପାକିସ୍ତାନ ଉପରେ ବର୍ଷିଛି ଭାରତ । ପାକିସ୍ତାନ ଭାରତ ବିରୋଧରେ ବାରମ୍ବାର ଏଭଳି କାର୍ଯ୍ୟ କରୁଛି । ଏହା ତାର ପୁରୁଣା ଅଭ୍ୟାସ । ଯାହା କେବେ ଯାଏ ନାହିଁ ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୈୟଦ ଅକବରୁଦ୍ଦିନ କହିଛନ୍ତି ।

ଏହା ପୂର୍ବରୁ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରବୀଶ କୁମାର ମଧ୍ୟ ପାକିସ୍ତାନର ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ । ସେ କହିଥିଲେ, "ପାକିସ୍ତାନ ପ୍ରଥମେ ମିଥ୍ୟା ଖବର ଟ୍ବିଟ କରେ । ମିଛ ସାମ୍ନାକୁ ଆସିବା ପରେ ଡିଲିଟ କରେ । ଥରେ ନୁହେଁ ବାରମ୍ବାର ସେ ଏଭଳି କରି ଆସିଛି" ।
ସୂଚନା ଯୋଗ୍ୟଯେ, ନାନକାନା ସାହିବ ଗୁରୁଦ୍ବାରରେ ହୋଇଥିବା ଆକ୍ରମଣ ଘଟଣାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶୁକ୍ରବାର ଭାରତରେ ମୁସଲିମ୍ଙ୍କ ଉପରେ ପୋଲିସ ଅତ୍ୟାଚାର କରୁଥିବା କହି ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଜାରି କରିଥିଲେ । ବାଂଲାଦେଶର ଢାକାର ଭିଡ଼ିଓ ଜାରି କରି ଏହାକୁ ସେ ଉତ୍ତରପ୍ରଦେଶର ବୋଲି ଦର୍ଶାଇଥିଲେ । ଏହାର ସତ୍ୟତା ଜଣାପଡ଼ିବା ପରେ ତୁରନ୍ତ ନିଜ ଟ୍ବିଟର ଆକାଉଣ୍ଟରୁ ଏହାକୁ ଡିଲିଟ କରିଦେଇଥିଲେ ଇମ୍ରାନ ।