ୱାଶିଂଟନ: ନିଜ ପିଲାଙ୍କ ସଫଳତା ପାଇଁ ସମସ୍ତେ ଉତ୍ସୁକ ଥାଆନ୍ତି । ଶିକ୍ଷାକ୍ଷେତ୍ରରେ କିପରି ନିଜ ପିଲା ସମସ୍ତଙ୍କଠାରୁ ଆଗରେ ରହିବ ଏହା ଉପରେ ଅଧିକ ଗୁରୁତ୍ବ ଦେଇଥାନ୍ତି । ଛୋଟ ବେଳୁ ହିଁ ପାଠ ପଢାର ଚାପ ସେମାନଙ୍କ ଉପରେ ଲଦି ଦିଆଯାଏ । ତେବେ ନିକଟରେ ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ନାବାଳକ ଥିବାବେଳେ ବାପା ମାଆଙ୍କ ଅତ୍ୟଧିକ ଚାପ ଭବିଷ୍ୟତରେ ପିଲାଙ୍କ ସଫଳତାରେ ବାଧା ସୃଷ୍ଟି କରିଥାଏ ।
ୟୁନିଭର୍ସିଟି ଅଫ୍ ଭିର୍ଜିନିଆର ରିସର୍ଚ୍ଚରମାନେ ଏହା ଉପରେ ଏକ ଅଧ୍ୟୟନ କରିଥିଲେ । ସୋସାଇଟି ଫର୍ ରିସର୍ଚ୍ଚ ଇନ୍ ଚାଇଲ୍ଡ ଡେଭଲପମେଣ୍ଟର ଏକ ଜର୍ଣ୍ଣାଲରେ ଏହି ଫଳାଫଳ ଘୋଷଣା ହୋଇଥିଲା । ରିସର୍ଚ୍ଚରମାନେ କହିଥିଲେ ଯେ ଅଭିଭାବକମାନେ ନିଜ ଚିନ୍ତାଧାରା ଏବଂ ଇଚ୍ଛାକୁ ଯୁବପିଢିଙ୍କ ଉପରେ ଲଦି ଦେଉଛନ୍ତି । ବିଶେଷ କରି ମାନସିକ ଭାବେ ଯୁବପିଢିଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ସେମାନଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ । ବାରମ୍ବାର କୌଣସି ଏକ ବିଷୟରେ ତାଗିଦ୍ କରିବା ଅବା କିଛି ବିଷୟବସ୍ତୁକୁ ନେଇ ସେମାନଙ୍କ ଉପରେ ଚାପ ପ୍ରୟୋଗ କରିବା ଦ୍ବାରା ଯୁବପିଢି ଅଧିକ ଚିନ୍ତାଗ୍ରସ୍ତ ହୋଇଥାନ୍ତି । ଫଳରେ ସେମାନେ କିଛି ଭୁଲ କାମ କରି ବସନ୍ତି । ଏହାସହ ସେମାନଙ୍କ ବିକାଶରେ ବାଧା ସୃଷ୍ଟି ହୋଇଥାଏ ।
ରିସର୍ଚ୍ଚର କହିଛନ୍ତି ଯେ ଯେତେବେଳେ ପିଲାଙ୍କ ଉପରେ ବାପା-ମାଆ ଅଧିକ କ୍ରୋଧ ପ୍ରକାଶ କରନ୍ତି ସେତେବେଳେ ସେମାନେ ନିଜ ଭଲ ପାଇବା ଭୁଲି ଯାଆନ୍ତି । କୌଣସି ଏକ ବିଷୟ ଉପରେ ଅସନ୍ତୋଷ ପ୍ରକାଶ କରିବାବେଳେ ପିଲାଙ୍କ ଉପରେ ଅତ୍ୟଧିକ ରାଗିଯାଆନ୍ତି ଅଭିଭାବକ । ଏହା ଫଳରେ ପିଲାମାନେ ଭିତରୁ ଦୁଃଖି ହୋଇଯାଆନ୍ତି । ସେମାନେ ନିଜ ବାପା-ମାଆଙ୍କ ଇଚ୍ଛା ପୂରଣ କରିନଥିବାରୁ ମନ ଦୁଃଖରେ ରହନ୍ତି । ତେବେ ରିସର୍ଚ୍ଚର କହିଛନ୍ତି ଯେ ଏହି ଉପାୟ କିଛି ବାପା-ମାଆ ଜାଣିଶୁଣି ପିଲାଙ୍କ ଉପରେ ପ୍ରୟୋଗ କରିଥାନ୍ତି । ଯେପରିକି ପିଲାମାନେ ନିଜ ଭୁଲ ବୁଝିବା ସହ ସେମାନଙ୍କ କଥା ମାନିନଥିବାରୁ ରେଜଲ୍ଟ ଖରାପ କରିଥିବା ଭାବି ଭଲ ଭାବେ ପଢାପଢି କରିବେ । ହେଲେ ଏହା ଅଭିଭାବକଙ୍କ ପାଇଁ ବୁମେରାଂ ପାଲଟିଯାଏ ।
କାରଣ ଏହି ପିଲାମାନେ ଅଭିଭାବକଙ୍କୁ ଦୁଃଖି କରିଥିବା ଭାବି ନିଜେ ମାନସିକ ଭାବେ ଚିନ୍ତିତ ଥାଆନ୍ତି । ସେମାନଙ୍କୁ ଲାଗେ ବହୁତ ବଡ ଭୁଲ କରିଛନ୍ତି । ଏହି ଚାପରେ ସେମାନଙ୍କର ପ୍ରଦର୍ଶନ ଖରାପ ହୋଇଯାଏ । ଭଲ କରିବା ଚକ୍କରରେ ସେମାନେ ବାକି ସମୟ କେବଳ ଭାବି ଭାବି କାଟି ଦିଅନ୍ତି । ଭଲ ପଢିବା ଉପରେ ଧ୍ୟାନ ଦେଇପାରନ୍ତି ନାହିଁ । ଏହାସହ ଘରେ ଅତ୍ୟଧିକ ଚାପ ପରେ ସେମାନେ ନିଜ ସ୍ବାଧୀନତା ଖୋଜିବା ଆରମ୍ଭ କରିଦିଅନ୍ତି । ରିସର୍ଚ୍ଚର କହିଛନ୍ତି ଯେତେବେଳେ ପିଲାଙ୍କ ମାନସିକତାକୁ ଅଭିଭାବକ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି ସେବେ ସେମାନେ ନିଜର ସ୍ବାଧୀନତା ଖୋଜନ୍ତି । ଏହା ବେଶୀ ଟିନଏଜରେ ଦେଖାଦିଏ । ଏହି ସମୟରେ ପିଲାଙ୍କୁ ଅଟକାଇବାକୁ ଚେଷ୍ଟା କଲେ ସେମାନେ ବେଶୀ ଅମାନିଆ ହୁଅନ୍ତି । ଏଥିପାଇଁ ସାଙ୍ଗସାଥୀ ଏବଂ ସୋସିଆଲ ମିଡିଆରେ ଆକ୍ଟିଭନେସ ଦାୟୀ । ଭବିଷ୍ୟତରେ ସେମାନଙ୍କ ଅଭିବୃଦ୍ଧି ଏବଂ କ୍ୟାରିୟରର ସଫଳତା ଉପରେ ଏହା ଅଧିକ ପ୍ରଭାବ ପକାଇଥାଏ ବୋଲି ରିସର୍ଚ୍ଚରୁ ଜଣାପଡିଛି ।
ଗବେଷଣାରେ 13ରୁ 32 ବୟସ ଭିତରେ ପ୍ରାୟ 184 ପିଲାଙ୍କୁ ଏଥିରେ ସାମିଲ କରାଯାଇଥିଲା । ସେମାନଙ୍କ ପ୍ରାଥମିକ ଅବସ୍ଥା ଏବଂ ସଫଳତାର କାହାଣୀକୁ ବିଶେଷ ଭାବେ ଗୁରୁତ୍ବ ଦିଆଯାଇଥିଲା । ଯେଉଁମାନଙ୍କୁ ଅଭିଭାବକମାନେ ଅଧିକ ଅଟକାଇବାକୁ କିମ୍ବା କଟକଣା ଲଗାଇବାକୁ ଚେଷ୍ଟା କରିଥିଲେ ସେମାନେ ଭବିଷ୍ୟତରେ ବିଶେଷ ସଫଳ ହୋଇନଥିଲେ । ଯାହା ଉପରେ ବେଶୀ ପ୍ରେସର ନଥିଲା ସେମାନେ ଖୁବ୍ ସକସେସ ହୋଇଥିଲେ । ସେମାନଙ୍କ ଜୀବନରେ ଚାପ ଏବଂ ଟେନସନ ଖୁବ୍ କମ ଥିଲା । ବାପା-ମାଆଙ୍କ ଅଧିକ ଆଶା ପିଲାଙ୍କୁ ବିପଦମୁହାଁ କରିପାରେ ବୋଲି ରିସର୍ଚ୍ଚର କହିଛନ୍ତି ।
ସୌଜନ୍ୟ@ANI