ମୁମ୍ବାଇ: ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଶାନ୍ତ ପଡିଛି, ମାତ୍ର ଏବେ ଏହାକୁ ନେଇ ରାଜନୀତି ଜାରି ରହିଛି । ରାଜଧାନୀ ଦିଲ୍ଲୀରେ ଦଙ୍ଗାକୁ ନେଇ ଏନସିପି ମୁଖ୍ୟ ଶରଦ ପାୱାର ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ମନ୍ତ୍ରୀମାନେ ଉତ୍ତେଜନା ବିସ୍ତାର କରିବା ପାଇଁ ଚେଷ୍ଟା କରିଛନ୍ତି । ଦିଲ୍ଲୀ ହିଂସା ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି ସେ ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ।
ଏନସିପି ସୁପ୍ରିମୋ କହିଛନ୍ତି ଯେ, ବିଜେପି ନେତା ଓ ମନ୍ତ୍ରୀଙ୍କ ଗୁଳି ମାର..ନାରା ଲୋକଙ୍କ ମନରେ ଭୟର ବାତାବରଣ ଖେଳାଇଥିଲା । ଏଭଳି ଉତ୍ତେଜନାମୂଳକ ନାରା ବାଜି କରି ଦିଲ୍ଲୀରେ ନିର୍ବାଚନ ସମୟରେ ଶାନ୍ତି ଭଙ୍ଗ କରିବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା ବୋଲି ସେ କହିଛନ୍ତି ।ଏନସିପି ମୁଖ୍ୟ ଶରଦ ପାୱାର ମୁମ୍ବାଇରେ କହିଛନ୍ତି ଯେ ରାଜଧାନୀ ଦିଲ୍ଲୀ ଗଲା କିଛି ଦିନ ହେବ ଜଳୁଛି । ଦିଲ୍ଲୀରେ ବିଜେପି ସରକାର ଗଠନ ହୋଇପାରିଲା ନାହିଁ, ତେଣୁ ସାମ୍ପ୍ରଦାୟିକତା ନାମରେ ସମାଜ ବିଭାଜିତ କରାଯାଉଛି ବୋଲି ସେ କହିଛନ୍ତି ।
ଏହା ପୂର୍ବରୁ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ଜାତୀୟ ମୁଖପାତ୍ର ନବାବ ମଲ୍ଲିକ ମଧ୍ୟ ଦିଲ୍ଲୀ ହିଂସା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ସେ କହିଥିଲେ ଯେ, ଦିଲ୍ଲୀରେ ହୋଇଥିବା ଦଙ୍ଗା ସମୟରେ ପୋଲିସ ନିରବ ଦର୍ଶକ ସାଜିଥିଲା । ଦଙ୍ଗା ବନ୍ଦ କରିବାକୁ ଚେଷ୍ଟା କରିନଥିଲା । ଏହାସହ ସେ କେନ୍ଦ୍ର ଗୃହମନ୍ତ୍ରୀ ପରିସ୍ଥିତିକୁ ସମ୍ଭାଳି ପାରିବେ ନଥିବା ଅଭିଯୋଗ କରିଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ ଉତ୍ତରପୂର୍ବ ଦିଲ୍ଲୀରେ ସିଏଏକୁ ନେଇ ହୋଇଥିବା ହିଂସାକାଣ୍ଡରେ ଏପର୍ଯ୍ୟନ୍ତ 45 ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଦିନ ଧରି ରାଜଧାନୀ ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହିଂସାକାଣ୍ଡରେ 150 ରୁ ଉର୍ଦ୍ଧ୍ବ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।
@ANI