ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳର ପ୍ରଦୂଷଣ ମାତ୍ରା ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରବିବାର ନୂଆଦିଲ୍ଲୀ ମ୍ୟୁନସିପାଲ୍ ପରିଷଦ ବା ଏନଡିଏମସି ଅଳିଆ ଆବର୍ଜନା ପୋଡିବା ଓ ଅନ୍ୟ ଉପାୟରେ ପ୍ରଦୂଷଣ କରୁଥିବା 1761 ପ୍ରଦୂଷଣକାରୀଙ୍କ ନାମରେ 38ଲକ୍ଷ 43ହଜାର ଟଙ୍କାର ଚାଲାଣ କାଟିଥିବା ସୂଚନା ମିଳିଛି ।
ତେବେ ଅକ୍ଟୋବର 1 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ଅଳିଆ ଆବର୍ଜନା ପୋଡି ଦିଲ୍ଲୀ ବାୟୁମଣ୍ଡଳକୁ ଦୂଷିତ କରିବା ଆଧାରରେ 1702 ଜଣଙ୍କ ନାମରେ ପ୍ରାୟ 26ଲକ୍ଷ 43ହଜାର ଟଙ୍କା କଟାଯାଇଥିବା ବେଳେ ଅକ୍ଟୋବର 1ରୁ 16 ମଧ୍ୟରେ ଅନ୍ୟ ଉପାୟ ମାଧ୍ୟମରେ ପ୍ରଦୂଷଣର ମାତ୍ରାକୁ ବଢାଇଥିବା 59 ପ୍ରଦୂଷଣକାରୀଙ୍କ ନାମରେ 12 ଲକ୍ଷ ଟଙ୍କାର ଚାଲାଣ କଟାଯାଇଥିବା ନୂଆଦିଲ୍ଲୀ ମ୍ୟୁନିସିପାଲ୍ ପରିଷଦ ପକ୍ଷରୁ ଜଣାପଡିଛି ।
ମାଟିରେ ଅଳିଆ ଆବର୍ଜନାକୁ ପୋତି ପରିବେଶ ଦୂଷିତ କରୁଥିବାରୁ ଡିଡିଏ, ପିଡବ୍ଲୁଡି, ଆଇଆଣ୍ଡଏଫ୍ସି ଆଦି ଅନ୍ୟ ସଂସ୍ଥାଗୁଡିକ ପ୍ରଦୂଷଣକାରୀଙ୍କ ବିରୋଧରେ 86ଟି ଚାଲାଣ କାଟିଛନ୍ତି । ତେବେ ପକ୍କା ସ୍ଥାନରେ ପ୍ରଦୂଷଣ ମାତ୍ରା ବଢୁଥିବାରୁ ସେହି ସମସ୍ତ ଅଞ୍ଚଳକୁ ନିଜ ଅଧୀନରେ ନେବାକୁ ନୂଆଦିଲ୍ଲୀ ମ୍ୟୁନିସିପାଲ୍ ପରିଷଦ ଅନ୍ୟ ସଂସ୍ଥା ଯଥା ପିଡବ୍ଲୁଡି, ଜିଏନସିଟିଡି, ଡିଏସଆଇଆଇଡିସି, ଡିଡିଏ କୁ ନିର୍ଦ୍ଦେଶ ଦେଇଛି । ସେମାନଙ୍କ ଅଧୀନକୁ ଆସୁଥିବା ପକ୍କା ଅଞ୍ଚଳଗୁଡିକ 16,87,413 ବର୍ଗ ମିଟର ବୋଲି ଜଣାପଡିଛି ।
ବାୟୁମଣ୍ଡଳରେ ଥିବା ଧୂଳିକଣାକୁ ହଟାଇବା ପାଇଁ ପ୍ରତିଦିନ ଏନଡିଏମସି ପକ୍ଷରୁ 134ଟି ପାଣି ଟ୍ୟାଙ୍କର ନିୟୋଜିତ କରାଯାଇଛି ଏବଂ ଏହି ପାଣି ଟ୍ୟାଙ୍କର ଗୁଡିକ 1340 କିଲୋମିଟର ରାସ୍ତାରେ ଏହି ପ୍ରକ୍ରିୟା କରୁଥିବା ସୂଚନା ମିଳିଛି । ରାଜଧାନୀରେ ପ୍ରଦୂଷଣର ମାତ୍ରା କମାଇବା ପାଇଁ ବଜାର, ସ୍କୁଲ ଓ ଅନୁଷ୍ଠାନର ପ୍ରାୟ 109.88 ଏକର ସ୍ଥାନ ଓ 69.11କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ବୃକ୍ଷରୋପଣ କରାଯାଉଛି ।
ନୂଆଦିଲ୍ଲୀ ମ୍ୟୁୁନସିପାଲ୍ ପରିଷଦ ବା ଏନଡିଏମସି ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଦୂଷଣ ମାତ୍ରା କମାଇବା ପାଇଁ ସଂସ୍ଥା ଦ୍ବାରା ଜାରି ହେଉଥିବା ସମସ୍ତ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ନଚେତ୍ ନିୟମ ଉଲଘଂନକାରୀଙ୍କ ବାବଦରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
@ANI