ମୁମ୍ବାଇ: କୋରୋନା ମୁକାବିଲା କରିବାକୁ ସମସ୍ତ ଘରୋଇ ଡାକ୍ତରଙ୍କୁ ମହାରାଷ୍ଟ୍ର ସରକାରଙ୍କ ନୋଟିସ ଜାରି । ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲରେ ସମସ୍ତ ସେବା ଯୋଗାଇବାକୁ ବାଧ୍ୟ ।ତେବେ ନିର୍ଦ୍ଦେଶ ଅବମାନନା କଲେ ଲାଇସେନ୍ସ ରଦ୍ଦ ହୋଇପାରେ।
କୋରୋନା ଚିକିତ୍ସା କରୁଥିବା ହସ୍ପିଟାଲଗୁଡିକ ମଧ୍ୟ ତୁରନ୍ତ ରିପୋର୍ଟ ପ୍ରକାଶ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଡାକ୍ତରମାନେ ଅତି କମରେ 15 ଦିନ ହସ୍ପିଟାଲରେ ରହିବାକୁ ବାଧ୍ୟ । ଯେଉଁ ହସ୍ପିଟାଲକୁ ଏହି ନୋଟିସ ଜାରି ହୋଇଛି ଯଦି ସେମାନେ ରିପୋର୍ଟ କରିବାରେ ବିଫଳ ହୁଅନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କର ଡାକ୍ତରୀ ଲାଇସେନ୍ସ ରଦ୍ଦ କରିଦିଆଯିବ ।
ମହାମାରୀ ରୋଗ ଅଧିନିୟମ, ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଏବଂ ମହାରାଷ୍ଟ୍ର ଜରୁରୀ ସେବା ରକ୍ଷଣାବେକ୍ଷଣ ଅଧିନିୟମ କାର୍ଯ୍ୟକାରୀ କରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, କୋରୋନା ରୋକିବା ଏବଂ ଚିକିତ୍ସା ପାଇଁ ରୋଗୀମାନେ ଅତି କମରେ 15 ଦିନ ଡାକ୍ତରଙ୍କ ବିଶେଷଜ୍ଞ ସେବା ଆବଶ୍ୟକ କରନ୍ତି।
କୋରୋନା ମହାମାରୀ ସମୟରେ ଦେଖିବାକୁ ମିଳୁଛି କେତେକ ଘରୋଇ ହସ୍ପିଟାଲ ରୋଗୀଙ୍କ ଚିକିତ୍ସା କରିବା ପୂର୍ବରୁ ସେମାନଙ୍କୁ ଅନ୍ୟତ୍ର ପଠାଇ ଦେଉଛନ୍ତି । ଏପରି ଅନେକ ଡାକ୍ତର ସନ୍ଦିଗ୍ଧ ରୋଗୀଙ୍କୁ ମଧ୍ୟ ଚିକିତ୍ସା କରୁନଥିବା ଅଭିଯୋଗ ହୋଇଛି । ଯାହାକୁ ଦେଖି ସରକାର ଏଭଳି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରି ପରିସ୍ଥିତି କେବଳ ମୁମ୍ବାଇ କି ମହାରାଷ୍ଟ୍ର ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ଏହି ସାମାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ରୋଗୀ ।
ଅନ୍ୟପଟେ, ମହାରାଷ୍ଟ୍ରରେ 50 ବର୍ଷୀୟ ଊର୍ଦ୍ଧ୍ବ ଡାକ୍ତରଙ୍କୁ କୋରୋନା ଚିକିତ୍ସାରୁ ବାଦ ଦିଆଯାଇଛି । କାରଣ କୋରୋନା ସଂକ୍ରମଣ ଅଧିକାଂଶ ବୟସ୍କ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି ।