ନୂଆଦିଲ୍ଲୀ: ଚୀନକୁ ଟପିଗଲା ମହାରାଷ୍ଟ୍ର । କୋରୋନା ଉତ୍ପତ୍ତି ସ୍ଥଳ ଚୀନରେ ଯେତିକି ମାମଲା ନାହିଁ, ସେତିକି ଦେଶର ଗୋଟିଏ ରାଜ୍ୟରୁ ଚିହ୍ନଟ ହୋଇଛି । ଚୀନ ଭଳି ଗୋଟିଏ ଦେଶରେ 83,036 କୋରୋନା ମାମଲା ରହିଛି । ମହାରାଷ୍ଟ୍ରରେ 85 ହଜାର 975 ଜଣ ସଂକ୍ରମିତ ହୋଇଛନ୍ତି । ଏହା ସହିତ 3 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି । ବର୍ତ୍ତମାନ ଦେଶରେ କୋରୋନା ସଂକ୍ରମିତ ମାମଲା 2.5 ଲକ୍ଷରେ ପହଞ୍ଚିଛି ।
ରବିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟଙ୍କ ତଥ୍ୟ ଅନୁସାରେ, ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ ସର୍ବାଧିକ 3007 ନୂଆ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର ପରେ ତାମିଲନାଡୁରେ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରବିବାର ସୁଦ୍ଧା 1515 ନୂଆ ଆକ୍ରାନ୍ତ ଚିହ୍ନଟ ସହ 18 ଜଣଙ୍କ ଜୀବନ ଯାଇଛି । ମୋଟ ସଂକ୍ରମିତ ମାମଲା 31 ହଜାର 667ରେ ପହଞ୍ଚିଛି । କୋରୋନାରେ 269ଜଣ ଜୀବନ ଯାଇଛି ।
ତାମିଲନାଡୁ ପରେ ଦିଲ୍ଲୀରେ ଦିନକୁ ଦିନକୁ ବଢି ଚାଲିଛି ସଂକ୍ରମଣ । ଏଠାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 27 ହଜାର 654 ଥିବାବେଳେ ମୃତ୍ୟୁ ସଂଖ୍ୟା 761 ରହିଛି । ଗୁଜୁରାଟରେ 19 ହଜାର 592 ସହ ମୃତ୍ୟୁ ସଂଖ୍ୟା 1219ରେ ପହଞ୍ଚିଛି । ଉତ୍ତରପ୍ରଦେଶର 10 ହଜାର ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି ।