ବେଙ୍ଗାଲୁର: ଦିନକୁ ଦିନ ନାଟକୀୟ ମୋଡ଼ରେ ଗତି କରୁଛି କର୍ଣ୍ଣାଟକ ରାଜନୀତି । ଇସ୍ତଫା ପର୍ବରେ ବିରାମ ଲାଗୁ ନଥିବାବେଳେ ବାଚସ୍ପତି କିନ୍ତୁ ଗୃହିତ କରିନାହାନ୍ତି କୌଣସି ବିଧାୟକଙ୍କ ଇସ୍ତଫାପତ୍ର । ସାମ୍ବିଧାନିକ ନିୟମ ଅନୁଯାଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ରାଜ୍ଯରେ ଦେଖାଦେଇଥିବା ଏପରି ରାଜନୈତିକ ଅସ୍ଥିରତାରେ ଅଚଳ ହୋଇପଡିଛି କ୍ଷମତାସୀନ ସରକାର । ତେଣୁ ଏହି ସ୍ଥିତିର ପୂର୍ଣ୍ଣଛେଦ ଜୁଲାଇ 17 ତାରିଖରେ ପଡ଼ିପାରେ । ସୂଚନା ମୁତାବକ କୁମାରସ୍ବାମୀଙ୍କ ସରକାରକୁ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି ବାଚସ୍ପତି କେ.ଆର୍ ରମେଶ ।
ମିଳିତ ଦଳର ସମୁଦାୟ 14 ବିଧାୟକ ଇସ୍ତଫା ଦେଇଥିବାବେଳେ 13 ଜଣ ବିଧାୟକଙ୍କ ଇସ୍ତଫାପତ୍ରକୁ ସ୍ବୀକାର କରିନାହାନ୍ତି ରମେଶ । ଆଇନ ଅନୁଯାୟୀ ବିଚାର କରାଯିବ, ନଚେତ୍ ଗୃହର ଅଧ୍ୟକ୍ଷ ଭାବରେ ପରବର୍ତ୍ତୀ ସମୟରେ ମୁଁ ହିଁ ଉତ୍ତରଦାୟୀ ରହିବି ବୋଲି ସେ କହିଛନ୍ତି। ଇସ୍ତଫା ଦେଇଥିବା ବିଦ୍ରୋହୀ ବିଧାୟଙ୍କ ଏବେବି ମୁମ୍ବାଇର ଏକ ହୋଟେଲରେ ଅଛନ୍ତି । ମେଣ୍ଟ ସରକାରକୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ଉଭୟ କଂଗ୍ରେସ ଏବଂ ଜେଡ଼ିଏସ୍ । ଅନ୍ୟପଟେ ବିଜେପିର ପ୍ରରୋଚନାରେ ରାଜ୍ଯରେ ଏପରି ଅସ୍ଥିରତା ସୃଷ୍ଟିହୋଇଥିବା ଲୋକସଭାରେ ଅଭିଯୋଗ କରିଛନ୍ତି କଂଗ୍ରେସର ସଂସଦୀୟ ଦଳ ନେତା ଅଧିର ରଞ୍ଜନ । ବିରୋଧିଙ୍କ ଏପରି ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।