ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ(ଜେଏନୟୁ)ରେ ହୋଇଥିବା ହଷ୍ଟେଲ ଫି’ ବୃଦ୍ଧି ଓ ସିଏଏ/ଏନଆରସିକୁ ନେଇ ଛାତ୍ରଛାତ୍ରୀମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ । ଆଉ ଏବେ ପୁଣି ଏକ ଆରଟିଆଇ ତଥ୍ୟକୁ ନେଇ ଜେଏନୟୁରେ ପୁଣି ଚର୍ଚ୍ଚା ହେଉଛି ।
ଖବର ଅନୁଯାୟୀ ସୂଚନା ଅଧିକାରୀ ସୁଜିତ ସ୍ବାମୀ ଜେଏନୟୁରେ ଅଧ୍ୟୟନ କରୁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କର ତଥ୍ୟ ମାଗିଥିଲେ । ଯାହାର ଜବାବରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ 82 ଜଣ ଛାତ୍ରଙ୍କ ତଥ୍ୟ ନଥିବା କହିଥଲେ । ଏନେଇ ଗଣମାଧ୍ୟମରେ ଖବର ବାହାରିବା ପରେ ବିଶ୍ବବିଦ୍ୟାଳୟ ପ୍ରଶାସନ ସେହି ସମସ୍ତ ଛାତ୍ରଙ୍କର ତଥ୍ୟ ରହିଥିବା ବୟାନ ଦେଇଛନ୍ତି । ତେଣେ 82 ଛାତ୍ରଙ୍କର ତଥ୍ୟ ନଥିବା ଖବରକୁ ଜେଏନୟୁ ରେଜିଷ୍ଟ୍ରାର ପ୍ରଫେସର ପ୍ରମୋଦ କୁମାର ଖଣ୍ଡନ କରିଛନ୍ତି । ସେ କହିଛନ୍ତି କି ବିଶ୍ବବିଦ୍ୟାଳୟ ପ୍ରଶାସନ ପାଖରେ ସମସ୍ତ ଛାତ୍ରଛାତ୍ରୀଙ୍କ ତଥ୍ୟ ରହିଛି । ଏହା କେବଳ ଏକ ଗୁଜବ ।
ସେପଟେ ଆରଟିଆଇରେ ବିଦେଶ ଛାତ୍ରଛାତ୍ରୀମାନଙ୍କୁ ନେଇ ଯେଉଁ ପ୍ରଶ୍ନ କରାଯାଇଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇ ନଥିବା ଅଭିଯୋଗ ହୋଇଛି । ଆବେଦନକର୍ତ୍ତା ବିନା କୌଣସି ତଥ୍ୟରେ ଗଣମାଧ୍ୟମକୁ ଭୁଲ ତଥ୍ୟ ଦେଇଛନ୍ତି ପ୍ରମୋଦ କହିଛନ୍ତି । ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗରେ ପଢୁଛନ୍ତି । ଯାହାର ତଥ୍ୟ ପ୍ରତ୍ୟକ ବିଭାଗରେ ରହିଛି । ଏହାପରେ ଜେଏନୟୁର ଜଣେ ପ୍ରଶାସକ ଏଠାରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ସମସ୍ୟ ତଥ୍ୟ ରହିଥିବା ପ୍ରକାଶ କରିଛନ୍ତି ।