ନୂଆଦିଲ୍ଲୀ: ‘ଜାନ ହେ ତୋ ଜାହାଁ ହେ’, ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ଯେଉଁଠାରେ ଲୋକମାନେ ଉଭୟ ଦିଗ ପ୍ରତି ଧ୍ୟାନ ଦିଅନ୍ତି, ନିଜ କର୍ତ୍ତବ୍ୟ ପାଳନ କରନ୍ତି ଓ ସରକାରଙ୍କ ନିର୍ଦ୍ଦେଶ ପାଳନ କରନ୍ତି । ଏହା ଭାରତର ସମୃଦ୍ଧ ତଥା ସୁସ୍ଥ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଶନିବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋରୋନା ଭାଇରସ ପରିସ୍ଥିତି ଏବଂ ଏହାର ସଂକ୍ରମଣ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ପାଇଁ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ବେଳେ ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ମୁଁ ଦେଶକୁ ସମ୍ବୋଧିତ କରିଥିଲି କହିଥିଲି ଯେ ପ୍ରତ୍ୟେକ ନାଗରିକଙ୍କ ଜୀବନ ବଞ୍ଚାଇବା ପାଇଁ ଲକଡାଉନ ଏବଂ ସାମାଜିକ ଦୂରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଧିକାଂଶ ଲୋକ ଏହାକୁ ବୁଝି ଘରେ ରହିଲେ । ଏହା ଦେଶ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ’।
ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କପଡା ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି । ସେହିପରି ଅନ୍ୟ କେତେକ ମୁଖ୍ୟମନ୍ତ୍ରୀ ମଧ୍ୟ ଏନ95 ଓ ଫେସ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି ।
ବୈଠକରେ 21 ଦିନିଆ ଦେଶବ୍ୟାପୀ ଲକଡାଉନ ନିଷ୍ପତ୍ତିକୁ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ସମସ୍ତ ରାଜ୍ୟ କିପରି ଏକ ଦଳ ଭାବରେ କାର୍ଯ୍ୟ କରିଛନ୍ତି ତାହାକୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ବିଶ୍ବ ପରିସ୍ଥିତି ସନ୍ତୋଷଜନକ ନୁହେଁ ଏବଂ କେତେକ ଦେଶରେ କୋରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଥିବା ସୂଚନା ରହିଛି ।
ଦିଲ୍ଲୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ସମଗ୍ର ଦେଶରେ କୋରୋନା ମୁକାବିଲା କରିବାପାଇଁ ଜାତୀୟସ୍ତରୀୟ ଲକଡାଉନକୁ ବୃଦ୍ଧି କରିବାପାଇଁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶା ଓ ପଞ୍ଜାବ ସରକାର ନିଜନିଜ ରାଜ୍ୟରେ ସାନି ଲକଡାଉନ ଘୋଷଣା କରିସାରିଛନ୍ତି । ଏହା ସହ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ COVID-19 ର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ ।
ଦେଶରେ ଗତ 24 ଘଣ୍ଟା ମଧ୍ୟରେ 1035 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 7447କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ସେହିପରି 7447 ମାମଲା ମଧ୍ୟରୁ 6565 ଜଣ ଚିକିତ୍ସିତ ହେଉଥିବା ବେଳେ 643 ଜଣ ରୋଗୀ ଡିସଚାର୍ଜ ହୋଇଥିବା ଜଣାପଡିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 40 ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶର ମୋଟ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ 239କୁ ବୃଦ୍ଧି ପାଇଛି ।
@ANI