ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସୋମବାର ଠାରୁ ସାମାନ୍ୟ ସମସ୍ୟାର ସାମନା କରିବାକୁ ପଡିବ । କାରଣ ଜୁଲାଇ 15ରୁ ଜୁଲାଇ 22 ମଧ୍ୟରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଚାଲିବାକୁ ଥିବା 80ଟି ଟ୍ରେନକୁ ରଦ୍ଦ କରି ଦିଆଯାଇଛି । ଖାଲି ସେତିକି ନୁହେଁ 57ଟି ଟ୍ରେନର ରୁଟକୁ ମଧ୍ୟ ବଦଳାଇ ଦିଆଯାଇଛି ।
ନୂଆଦିଲ୍ଲୀରୁ ତିଲକ୍ ବ୍ରିଜ୍ ରେଳୱେ ଷ୍ଟେସନ ମଧ୍ୟରେ ପଞ୍ଚମ ଏବଂ ଷଷ୍ଠ ରେଳ ଲାଇନ ଆରମ୍ଭ କରିବାକୁ ନନ୍ ଇଣ୍ଟରଲିଙ୍କିଂ କାମ ଆରମ୍ଭ କରାଯାଉଛି । ଯେଉଁକାରଣରୁ ରେଳ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ରେଳ ଯାତ୍ରୀଙ୍କୁ 18ରୁ 21 ଜୁଲାଇ ମଧ୍ୟରେ ଅଧିକ ସମସ୍ୟାର ସାମନା କରିବାକୁ ପଡିବ । କାରଣ ଏହି ଦିନ ମଧ୍ୟରେ ଅଧିକ ଟ୍ରେନକୁ ରଦ୍ଦ କରାଯାଇଛି ।
ରେଳବିଭାଗର ଅଧିକାରୀଙ୍କ କହିବାନୁଯାୟୀ, ଦୁଇଟି ନୂଆ ଟ୍ରାକ୍ ଆରମ୍ଭ ହେବା ପରେ ନୂଆଦିଲ୍ଲୀରୁ ଟ୍ରେନ ଯାତାୟତରେ ସାମାନ୍ୟ ଆଶ୍ବସ୍ତି ମିଳିବ । ବର୍ତ୍ତମାନ ନୂଆଦିଲ୍ଲୀରୁ ତିଲକ ବ୍ରିଜ୍ ମଧ୍ୟରେ 4ଟି ରେଳଧାରଣା ରହିଛି । ଟ୍ରେନ ସଂଖ୍ୟା ହିସାବରେ ଯାହା କମ ଅଟେ । ପର୍ଯ୍ୟାପ୍ତ ଟ୍ରାକ୍ ନହେବା କାରଣରୁ ନୂଆଦିଲ୍ଲୀକୁ ଆସୁଥିବା ଏବଂ ଯାଉଥିବା ଟ୍ରେନ ଯାତାୟତରେ ଅସୁବିଧା ହୋଇଥାଏ । ଏହି ରେଳ ଲାଇନ ହେବା ଦ୍ବାରା ଟ୍ରେନ ଯାତାୟତରେ କୌଣସି ଅସୁବିଧାର ସାମନା କରିବାକୁ ପଡିବନାହିଁ । ସୂଚନାଯୋଗ୍ୟ, 1978ରେ ନିର୍ମାଣ ହୋଇଥିବା ତିଲକ ବ୍ରିଜ୍ ପ୍ରତ୍ୟେକ ଦିନ 80ଟି ଟ୍ରେନ ଯାତାୟତ କରୁଥିଲା । ସଂଖ୍ୟା ବଢିବା କାରଣରୁ ପ୍ରତ୍ୟେକ ଦିନ ଏହା ଉପରେ 350 ଟ୍ରେନ ଯାତାୟତ କରୁଛି । 2.6 କିମି ଲମ୍ବା ବିଶିଷ୍ଟ 2ଟି ରେଳଲାଇନରେ ପାଖାପାଖି 140 କୋଟି ଖର୍ଚ୍ଚ କରାଯାଇଛି ।