ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ସୁରକ୍ଷାକୁ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀରେ ମଙ୍ଗଳବାର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ଗତ ଅଗଷ୍ଟ ମାସରୁ ରାଜ୍ୟରେ ସେନା ଛାଉଣୀ ରହିଛି । ଧାରା 370 ହଟାଇବା ପରେ ସ୍ଥାନୀୟ ନେତାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଅଟକ ରଖାଯାଇଛି ।
ଗୃହ ମନ୍ତ୍ରଣାଳୟର ସମୀକ୍ଷା ପରେ ରାଜ୍ୟରେ ମୁତୟନ ହୋଇଥିବା ସୁରକ୍ଷା ବଳ କିଛି ପରିମାଣରେ ପ୍ରତ୍ୟାହାର କରାଯାଇଛି । ନିଷ୍ପତ୍ତି ଅନୁସାରେ ପ୍ରଥମ ପର୍ଯ୍ୟାୟରେ 72 ପ୍ଲାଟୁନ ଅର୍ଦ୍ଧ ସାମରିକ ବଳଙ୍କୁ ପ୍ରତ୍ୟାହାର କରାଯାଇଛି । ଯେଉଁମାନଙ୍କର ମଧ୍ୟରେ ଅଛନ୍ତି CRPF-ର 24, BSF 12, ITBP 12, CISF 12, ଏବଂ SSB 12 ପ୍ଲାଟୁନ ଯବାନ ।
ଏହି ଉଚ୍ଚ ସ୍ତରୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ,ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ, ଜାମ୍ମୁ-କାଶ୍ମୀର ଡିଜିପି ଏବଂ ସିଆରପିଏଫ ଡିଜି ରାଜୀବ ରାୟ ଯୋଗଦେଇଥିଲେ।