ନୂଆଦିଲ୍ଲୀ: ବାସ୍ତବ ନିୟନ୍ତ୍ରଣ ରେଖା (LAC)ଅଞ୍ଚଳରେ ଲାଗି ରହିଥିବା ଉତ୍ତେଜନା ପ୍ରଶମିତ କରିବା ଦିଗରେ କୌଣସି ବୁଝାମଣାକୁ ଚୀନ କେବେ ‘ସମ୍ମାନ’ପ୍ରଦର୍ଶନ କରିଥିବା କଥା ରେକର୍ଡରେ ନାହିଁ ବୋଲି ମତାମତ ଦେବା ସହିତ ମସ୍କୋରେ ଅନୁଷ୍ଠିତ ବୈଠକରେ ଚୀନ ଭାରତକୁ ଦେଇଥିବା ପ୍ରତିଶ୍ରୁତି ସଂପର୍କରେ ସଂଶୟ ଓ ଚିନ୍ତା ବ୍ୟକ୍ତ କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ପଲ୍ଲମ ରାଜୁ ।
ଭାରତ ଓ ଚୀନ ମଧ୍ୟରେ ସୀମାରେ ଉତ୍ତେଜନା ଲାଗି ରହିଥିବା ସମୟରେ, ମସ୍କୋରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ଶେଷରେ ଏକ ମିଳିତ ବିବୃତ୍ତି ଜାରି କରାଯାଇଛି ଏବଂ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଚାରି ମାସ ଧରି ଲାଗି ରହିଥିବା ମୁହାଁମୁହିଁ ସ୍ଥିତିର ଅବସାନ ଲାଗି ଏକ ପଞ୍ଚସୂତ୍ରୀ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଉଭୟ ପକ୍ଷ ସମ୍ମତ ହୋଇଛନ୍ତି ବୋଲି ଏଥିରେ କୁହାଯାଇଛି ।
ଇଟିଭି ଭାରତ ସହ ଏକ ଏକ୍ସକ୍ଲୁସିଭ୍ ସାକ୍ଷାତ୍କାରରେ ପଲ୍ଲମ ରାଜୁ କହିଛନ୍ତି, “ଶବ୍ଦ ତୁଳନାରେ କାର୍ଯ୍ୟ ହିଁ ଉଚ୍ଚସ୍ବରରେ କଥା କହିଥାଏ । ଗତ ଚାରି ମାସ ଭିତରେ ଆମେ ଦେଖିଛୁ ଯେ ଉଭୟ ପକ୍ଷର ସେନା କମାଣ୍ଡର ସ୍ତରରେ ଅନେକ ବୈଠକ ଅନୁଷ୍ଠିତ ହୋଇଛି, ସେନା ଅପସାରଣ ଲାଗି ବୁଝାମଣାରେ ଉଭୟ ପକ୍ଷ ରାଜି ହୋଇଛନ୍ତି । କିନ୍ତୁ ଚୀନର ଲୋକେ ସେମାନଙ୍କ କଥା ରଖନ୍ତି ନାହିଁ ।”
ସେ ଆହୁରି କହିଲେ, “ଇତିହାସ କହେ ଯେ, ବାସ୍ତବ ନିୟନ୍ତ୍ରଣ ରେଖା ସଂପର୍କରେ ଭାରତ ଓ ଚୀନ ମଧ୍ୟରେ ଯେତେ ସବୁ ବୁଝାମଣା ସଂଘଟିତ ହୋଇଛି, ଚୀନ ସେଗୁଡ଼ିକୁ ସମ୍ମାନ କରିନାହିଁ । ତେଣୁ ଏବେ ଚୀନ ସହ ସଂପାଦିତ ନୂତନ ବୁଝାମଣାକୁ ସେମାନେ ଅନୁସରଣ କରିବା ନେଇ ମୋର ସନ୍ଦେହ ରହିଛି । ” ବୈଠକରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ସମ୍ମତ ହୋଇଥିଲେ ଯେ, ସଂପ୍ରତି ସୀମା ଅଞ୍ଚଳରେ ଉପୁଜିଥିବା ପରିସ୍ଥିତି କୌଣସି ପକ୍ଷର ସ୍ବାର୍ଥ ଅନୁକୂଳ ନୁହେଁ । ସୁତରାଂ, ‘ମତପାର୍ଥକ୍ୟକୁ ବିବାଦରେ ପରିଣତ ହେବାକୁ ନ ଦେବା’ ଏବଂ ଭାରତ ଓ ଚୀନ ମଧ୍ୟରେ ପ୍ରଚଳିତ ସୀମା ସଂପର୍କିତ ଆଚରଣ ପ୍ରଥା ଅନୁସରଣ ପୂର୍ବକ ତୁରନ୍ତ ଉତ୍ତେଜନା ପ୍ରଶମିତ କରିବା ଲାଗି ସେନା ପ୍ରତ୍ୟାହାର କରିବା ବିଷୟକୁ ଏହି ପଞ୍ଚସୂତ୍ରୀ ଯୋଜନାରେ ସାମିଲ କରାଯାଇଥିଲା ।
ଇଟିଭି ଭାରତକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ କହିଲେ, “ଦୀର୍ଘ ଦିନ ଧରି ଲାଗି ରହିଥିବା ମୁହାଁମୁହିଁ ସ୍ଥିତି କୌଣସି ଦେଶ ପାଇଁ ଭଲ ନୁହେଁ ଏବଂ ଏହା ଅତି ଦୁର୍ଭାଗ୍ୟର କଥା ଯେ ବାସ୍ତବ ନିୟନ୍ତ୍ରଣ ରେଖାରେ ଏପ୍ରିଲ ମାସର ସ୍ଥିତି ପୁନର୍ସ୍ଥାପନ କରିବା କ୍ଷେତ୍ରରେ ଚୀନ ଏଭଳି କଠୋର ଦୃଷ୍ଟିଭଙ୍ଗୀ ଗ୍ରହଣ କରିଛି । ମୁଁ ଆଶା କରୁଛି ଯେ, ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ରୁଷିଆରେ ଅନୁଷ୍ଠିତ ବୈଠକରୁ ସୀମାରେ ଉତ୍ତେଜନା ହ୍ରାସ କରିବା ଦିଗରେ କିଛି ସକାରାତ୍ମକ ଫଳାଫଳ ମିଳିବ ।” ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଲାଗି ରହିଥିବା ପରିସ୍ଥିତି ସଂପର୍କରେ ପ୍ରଧାନ ମନ୍ତ୍ରୀ ସାରା ଦେଶକୁ ବିସ୍ତୃତ ସୂଚନା ଦିଅନ୍ତୁ ବୋଲି କଂଗ୍ରେସ ଦଳ ନିରବଚ୍ଛିନ୍ନ ଭାବେ ଦାବି କରିଆସୁଛି । ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଚୀନ ସେନା ଏକତ୍ରିତ ହେଉଥିବାରୁ ପରିସ୍ଥିତି ଗମ୍ଭୀର ଓ ବିପଜ୍ଜନକ ହୋଇଛି ବୋଲି ଭାରତ ଉଲ୍ଲେଖ କରିଆସୁଥିବା ସମୟରେ ଏହି ପ୍ରସଙ୍ଗକୁ ଆଗାମୀ ସଂସଦ ଅଧିବେଶନରେ ଉଠାଇବା ଲାଗି ବିରୋଧୀ ଦଳ ପକ୍ଷରୁ ମଧ୍ୟ ଯୋଜନା କରାଯାଉଛି ।
ପଲ୍ଲମ ରାଜୁ କହିଲେ, “ଏହା ଏକ ଗୁରୁତର ଜାତୀୟ ପ୍ରସଙ୍ଗ ଏବଂ ଅତି ଦୁର୍ଭାଗ୍ୟର କଥା ଯେ ଚୀନ ପକ୍ଷରୁ ଭାରତୀୟ ଅଞ୍ଚଳରେ କୌଣସି ଅତିକ୍ରମଣ ହୋଇନାହିଁ ବୋଲି ପ୍ରଧାନ ମନ୍ତ୍ରୀ ସର୍ବଦଳୀୟ ବୈଠକରେ କହିଥିଲେ । ଅନ୍ତତଃ ଏବେ ସେମାନେ ବାସ୍ତବ କ୍ଷେତ୍ରର ପରିସ୍ଥିତି ବୁଝି ସଜାଗ ହୋଇଛନ୍ତି । ପ୍ରଧାନ ମନ୍ତ୍ରୀଙ୍କ ବିବୃତି ଯୋଗୁଁ ସ୍ଥିତି ଆହୁରି ଜଟିଳ ରୂପ ନେଇଛି । ମୁଁ ଆଶା କରେ ଯେ, ବର୍ତ୍ତମାନର ନୂତନ ସ୍ଥିତିରେ ଆମ ସାର୍ବଭୌମତ୍ବର ସୁରକ୍ଷା ପାଇଁ ଆମେ ସମସ୍ତ ପଦକ୍ଷେପ ନେବୁ ।”
ଏଭଳି ସଂକଟ ସମୟରେ ଆଗକୁ କେଉଁ ଉପାୟ ଅବଲମ୍ବନ କରାଯିବା କଥା ସଂପର୍କିତ ପ୍ରଶ୍ନର ଉତ୍ତରରେ ସେ ପ୍ରସ୍ତାବ ଦେଇ କହିଥିଲେ, “ଆଗକୁ ଉଭୟ ଦେଶ ମୁକାବିଲା ସ୍ଥିତିରେ ରହିବା ଏବଂ ଉତ୍ତେଜନା ବୃଦ୍ଧି ପାଇବା ଅତି ଦୁର୍ଭାଗ୍ୟଜନକ କଥା ହେବ । ତେଣୁ, ସୀମାରେ ଉତ୍ତେଜନା ହ୍ରାସ କରିବା ସହିତ ସ୍ଥିତି ସୁଧାରିବା ପାଇଁ ଏବଂ 2020 ଏପ୍ରିଲ ମାସ ସଦୃଶ ପୂର୍ବ ସ୍ଥିତାବସ୍ଥା ଫେରାଇ ଆଣିବା ଦିଗରେ ସମସ୍ତ ଉଦ୍ୟମ କରିବା ଲାଗି ସେମାନେ ଆଲୋଚନା କରିବା ଗୁରୁତ୍ବପୂର୍ଣ୍ଣ ।”
ପୂର୍ବରୁ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ଶାଣିତ ଆକ୍ରମଣ କରି ଏକ ଟ୍ବିଟ୍ରେ ଲେଖିଥିଲେ, “ଚୀନ ଆମ ଜମି ନେଇଯାଇଛି । ଠିକ୍ କେତେବେଳେ ଏହାକୁ ଫେରି ପାଇବା ଲାଗି ଭାରତ ସରକାର ଯୋଜନା କରୁଛନ୍ତି ? ନା ଏହାକୁ ବି ‘ବିଧିର ବିଧାନ’ ବୋଲି କହି ଛାଡ଼ି ଦିଆଯିବ ?”
ନିୟାମିକା ସିଂହ