ଲକ୍ଷ୍ନୌ: ଅଫିସ ଭିତରେ ସମସ୍ତ କର୍ମଚାରୀ ମୁଣ୍ଡରେ ହେଲମେଟ୍ ପିନ୍ଧି କାର୍ଯ୍ୟ କରୁଛନ୍ତି । ଏଠାରେ ଧରପଗଡ଼ର ଭୟ ନାହିଁ କି, କର୍ମଚାରୀ ମାନେ ଗାଡି ଚଲାଉନାହାଁନ୍ତି । ମାତ୍ର ଅଫିସ୍ ଭିତରେ କାହିଁକି ହେଲମେଟ ପିନ୍ଧି କାମ କରୁଛନ୍ତି କର୍ମଚାରୀ ଏହା ଜାଣିବା ପାଇଁ ମନରେ କୌତୁହଳ ଜାତ ହେଉଥିବ । କଥାଟି ମଜାଦାର । ଏହା ହେଲେ ସରକାରଙ୍କ ଗୁମର ଖୋଲୁଥିବା ଖବର । ଭଙ୍ଗା କୋଠା ତଳେ ମଧ୍ୟ ମୁଣ୍ଡକୁ ସୁରକ୍ଷିତ ରଖିବା ପାଇଁ ହେଲମେଟ୍ର ଆବଶ୍ୟକତା ରହିଛି ଏହି ଘଟଣା ସ୍ପଷ୍ଟ କରିଛି । ଘଟଣାଟି ୟୁପିରୁ ଆସିଛି । ସରକାରୀ ବିଦ୍ୟୁତ ଯୋଗାଣ ଅଫିସ୍ କୋଠାର ରୁଗଣ୍ ଅବସ୍ଥା ପାଇଁ ବନ୍ଦ କୋଠା ତଳେ ହେଲମେଟ ପିନ୍ଧି କାମ କରିବାକୁ କର୍ମଚାରୀଙ୍କୁ ବାଧ୍ୟ ହୋଇଛନ୍ତି ।
ଯୋଗୀ ସରକାର ସରକାରୀ କାର୍ଯ୍ୟାଳୟର ବିକାଶ କରାଯାଉଥିବା କଥା କହୁଛନ୍ତି । ମାତ୍ର ରାଜ୍ୟରେ ବିକାଶ ପାଇଁ କଣ ହେଉଛି, ଏହି ଘଟଣାରେ ଜଳଜଳ ଦିଶୁଛି । ରାଜ୍ୟର ‘ବାନ୍ଦା’ ବିଦ୍ୟୁତ ବିଭାଗ କର୍ମଚାରୀ ହେଲମେଟ ପିନ୍ଧି କାମ କରିବା ପାଇଁ ବାଧ୍ୟ ହେଉଛନ୍ତି । କାର୍ଯ୍ୟାଳୟର ଜରାଜୀର୍ଣ୍ଣ, ଭଗ୍ନ ପ୍ରାୟ କୋଠା କର୍ମଚାରୀଙ୍କୁ ଜୀବନ ବଞ୍ଚାଇବା ପାଇଁ ହେଲମେଟ ପିନ୍ଧି ଅଫିସରେ ବସିବାକୁ ବାଧ୍ୟ କରିଛି । ମୁଣ୍ଡ ଉପରେ ଝୁଲୁଥିବା ବିପଦକୁ ଆଖି ଆଗରେ ରଖି ଏଭଳି ଅନେକ ବର୍ଷ ହେଲା କରୁଛନ୍ତି କର୍ମଚାରୀ । ଭଙ୍ଗା କୋଠା ଛାତରୁ କେତେ ବେଳେ କଣ ଖସିବ ତାହାର ଠିକ ଠିକଣା ନାହିଁ । ଫଳରେ ଅନେକ ବର୍ଷ ହେବ କର୍ମଚାରୀ ମାନେ ଅଫିସରେ ହେଲମେଟ ପିନ୍ଧି କାମ କରିବାକୁ ବାଧ୍ୟ ହେଉଛନ୍ତି ।
କର୍ମଚାରୀ ମାନେ ଏହି ମାମଲାରେ ନୀରବ ରହିନାହାଁନ୍ତି । ଅନେକ ଥର ପ୍ରତିବାଦ କରିଛନ୍ତି । ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ମାତ୍ର କୌଣସି ପ୍ରତିକ୍ରିୟା ମିଳିନାହିଁ କି ପ୍ରତିବାଦର ସୁଫଳ ଆଜି ଯାଏଁ ମିଳି ପାରିନାହିଁ । ରାଜ୍ୟ ସରକାର ପୋଲିସ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଅନୁଷ୍ଠାନର କର୍ମଚାରୀଙ୍କୁ ସ୍ମାର୍ଟ କରିବା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି । ମାତ୍ର ବାନ୍ଦା ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ଏଭଳି ଦୁର୍ଦ୍ଦଶା ଓ କାର୍ଯ୍ୟାଳୟ କୋଠାର ଦୂରାବସ୍ଥା ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି ।