ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଇଲେକ୍ଟ୍ରିକ ହ୍ବିଲ ପଲିସି ବା ନୀତି ଆରମ୍ଭ କରାଯାଇଛି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ସୂଚନା ଦେଇଛନ୍ତି। ନୂଆ ପଲିସିକୁ ପ୍ରଗତିଶୀଳ ବୋଲି ବର୍ଣ୍ଣନା କରି କେଜ୍ରିୱାଲ ଦାବି କରିଛନ୍ତି ଯେ, ଏହା ପ୍ରଦୂଷଣକୁ ହ୍ରାସ କରିବ, ରୋଜଗାର ବୃଦ୍ଧି କରିବ ଏବଂ 5 ବର୍ଷରେ 5 ଲକ୍ଷ ଗାଡି ପଞ୍ଜୀକରଣ ହେବ । ଏନେଇ ଦିଲ୍ଲୀର ଅର୍ଥନୀତିରେ ଉନ୍ନତି ହେବ ବୋଲି ଆଶା କରାଯାଉଛି।
ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଆମେ ଇଲେକ୍ଟ୍ରିକ ହ୍ବିଲ ନୀତି ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛୁ। ଏହି ନୀତି ମାଧ୍ୟମରେ ଆମର ଉଦ୍ଦେଶ୍ୟ ହେଉଛି ଦିଲ୍ଲୀର ଅର୍ଥନୀତିକୁ ବୃଦ୍ଧି କରିବା, ନିଯୁକ୍ତି ବୃଦ୍ଧି ଏବଂ ରାଜଧାନୀରେ ପ୍ରଦୂଷଣର ମାତ୍ରା ହ୍ରାସ କରିବା। ସିଏମ କହିଛନ୍ତି, 'ଏହି ଇଲେକ୍ଟ୍ରିକ ଯାନ ନୀତି ଦେଶର ସବୁଠାରୁ ପ୍ରଗତିଶୀଳ ନୀତି।'
ସେ ଆହୁରି କହିଛନ୍ତି, ବୈଦ୍ୟୁତିକ ଯାନ ନୀତି କାର୍ଯ୍ୟକାରୀ କରିବା ପାଇଁ ଏକ 'ଇଭି ସେଲ' ସ୍ଥାପନ କରାଯିବ। ଆମର ଲକ୍ଷ୍ୟ ହେଉଛି ବର୍ଷେ ମଧ୍ୟରେ 200 ଚାର୍ଜିଂ ଷ୍ଟେସନ ରହିବ ଯାହା ଦ୍ବାରା ଆପଣଙ୍କ ଗାଡି 3 କିମି ଭିତରେ ଚାର୍ଜ କରିବା ପାଇଁ ସହଜ ହେବ । ଏହା ଏକ ରାଜ୍ୟ ଇବି ଫଣ୍ଡ ମାଧ୍ୟମରେ ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି। ଏହା ସହ ରାଜ୍ୟ ପରିବହନ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ରାଜ୍ୟ ବୈଦ୍ୟୁତିକ ଯାନ ବୋର୍ଡ ଗଠନ କରାଯିବ ଏବଂ ଏକ ଉତ୍ସର୍ଗୀକୃତ ଇବିସେଲ ପ୍ରସ୍ତୁତ କରାଯିବ, ଏହା ସମଗ୍ର ନୀତି କାର୍ଯ୍ୟକାରୀ କରିବାରେ ସହାୟକ ହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ସାରା ଦେଶରେ ଦିଲ୍ଲୀ ବିକାଶ ମଡେଲର ଆଲୋଚନା ଚାଲିଛି। ଯେପରି ମାଗଣା ବିଦ୍ୟୁତ୍, ବିଦ୍ୟାଳୟ ଏବଂ କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଆମର ମଡେଲ ଉପରେ ଆଲୋଚନା ହେଉଛି, ସେହିଭଳି ଆମର ବୈଦ୍ୟୁତିକ ଯାନ ନୀତି ଉପରେ ମଧ୍ୟ ଆଲୋଚନା କରାଯାଇଛି ।