ସିମଲା: କୁହାଯାଏ, ଯଦି ରଖେ ହରି ତ ମାରେ କିଏ। ଅର୍ଥାତ ଯଦି କାହାକୁ ଭଗବାନ ରକ୍ଷା କରୁଥାନ୍ତି, ତେବେ ତାକୁ କେହି ମାରି ପାରିବେ ନାହିଁ। ସଦ୍ୟ ଏହାର ଉଦାହରଣ ଦେଖିବାକୁ ମିଳିଛି ହିମାଚଳପ୍ରଦେଶର ଶନାନରେ। ଘର ବାହାରେ ଶୋଇଥିବା ଜ୍ୟାକି ନାମକ ଲାବ୍ରାଡର କୁକୁରକୁ ଏକ ଚିତାବାଘ ଉଠାଇ ନେଉଥିବାର ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଥିଲା। ଯାହା ଏବେ ଭାଇରାଲ ହୋଇଛି।
ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ, ଗୋଟିଏ ଚିତାବାଘ, ଶୋଇଥିବା ଏକ କୁକୁରକୁ ପ୍ରଥମେ ଦଳିଥିଲା। ଏହା ପରେ ଘର ଲୋକଙ୍କ ପାଟି ଶୁଣାଯିବାରୁ ଚିତା ତା’ର ବେକକୁ କାମୁଡି ଧରି ଦୌଡି ପଳାଇଥିଲା। ଏ ଘଟଣା ସମ୍ପର୍କରେ ଜାଣିବା ପରେ ଘରଲୋକ ଚିତାବାଘ ପଛରେ ଦୌଡି ଥିଲେ। ବାଘ କବଳରୁ ନିଜକୁ ରକ୍ଷା କରିବା ପାଇଁ ଅନେକ ଚେଷ୍ଟା କରିଥିଲା କୁକୁର ଜ୍ୟାକି। ଶେଷରେ ଏଥିରେ ସଫଳ ହେବା ସହ ମୃତ୍ୟୁମୁଖରୁ ରକ୍ଷା ପାଇଥିଲା।
ଘର ବାହାରେ ଶୋଇଥିବା ବେଳେ ଏକ ଚିତାବାଘ ଆସି ଜ୍ୟାକିକୁ ନେଇଯାଇଥିଲା। ତେବେ ସେ ନିଜ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲା। ବାଘ ଆକ୍ରମଣରେ ତା’ ଶରୀର କ୍ଷତବିକ୍ଷତ ହୋଇଛି। ଏବେ କୁକୁର ଜ୍ୟାକି ଭୟଭୀତ ଥିବା କହିଛନ୍ତି ମାଲିକ ପ୍ରକାଶ।