ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଲଞ୍ଚ ହେଲା ମିଶନ ଶକ୍ତି କ୍ୟାମ୍ପେନ । ଏହି କ୍ୟାମ୍ପେନକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅପରାଧିକ ଘଟଣାରେ ଅପରାଧୀ ମାନଙ୍କୁ ଖୁବଶୀଘ୍ର ଦଣ୍ଡର ପ୍ରବଧାନ ରହିବ । ଫଳରେ ଅପରାଧୀ ଖୁବକମ ଅବଧି ମଧ୍ୟରେ ଦଣ୍ଡ ପାଇପାରିବେ ।
ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ସମଗ୍ର ରାଜ୍ୟରେ 1535 ଥାନାରେ ମହିଳାଙ୍କ ଅଭିଯୋଗ ପାଇଁ ଏକ ସ୍ବତନ୍ତ୍ର ସେଲର ବ୍ୟବସ୍ଥା ମଧ୍ୟ କରାଯିବ । ଯେଉଁଥିରେ କେବଳ ମହିଳା ପୋଲିସ ଅଧିକାରୀ ଓ କନେଷ୍ଟବଳ ମାନେ ଦାୟିତ୍ବରେ ରହିବେ । ଯାହା ଫଳରେ କୌଣସି ମହିଳା ସମ୍ପର୍କିତ ମାମଲା ବା ଏତଲା ହେଲେ ତାକୁ ପୋଲିସ ପ୍ରାଥମିକତା ଦେବା ସହ ଅଗ୍ରାଧିକାର ଭିତ୍ତିରେ ତଦନ୍ତ ଆରମ୍ଭ କରିପାରିବ । ଏହି କ୍ୟାମ୍ପେନ ଅଧିନ ଅନ୍ୟ ଏକ କାର୍ଯ୍ୟକ୍ରମ ଶାରଦୀୟ ନବରାତ୍ରୀ ମଧ୍ୟ ଶୁଭାରମ୍ଭ କରାଯାଇଛି । ଯାହାର ଅବଧି 6 ମାସ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ଆଗାମୀ 6 ମାସରେ ମହିଳା ସଶକ୍ତିକରଣ ଓ ସଚେତନତା ଉପରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନେବେ ସରକାର । ଏହା ଦ୍ବାରା ପୂଜାମଣ୍ଡପ ଓ ଅନ୍ୟାନ୍ୟ ସଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ଗ୍ରାମାଞ୍ଚଳରେ ମହିଳା ମାନଙ୍କ ସୁରକ୍ଷା ଓ ଆତ୍ମରକ୍ଷା କୌଶଳରେ ମୌଳିକ ତାଲିମ ମଧ୍ୟ ଦିଆଯିବାର ଯୋଜନା ରଖାଯାଇଛି ।
ଏହି କାର୍ଯ୍ୟକ୍ରମ ରାଜ୍ୟର 521 ବ୍ଲକ, 59,000 ଗ୍ରାମପଞ୍ଚାୟତ ଓ 630 ସହରାଞ୍ଚଳ କ୍ଷେତ୍ରରେ ଆୟୋଜନ ହେବାକୁ ଯୋଜନା କରାଯାଇଛି । ତାସହ ଏହା ରାଜ୍ୟର 75 ଜିଲ୍ଲାର 1535 ପୋଲିସ ଷ୍ଟେସନରେ ଅଗ୍ରାଧିକାର ଭିତ୍ତିରେ ଆରମ୍ଭ କରାଯାଉଛି । ଏହି କ୍ୟାମ୍ପେନର ସଫଳ କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏହା ପାଇଁ ସରକାରଙ୍କ ତରଫରୁ ଦୁଇଟି ହେଲ୍ପ ଲାଇନ ନମ୍ବର ମଧ୍ୟ ପ୍ରଦାନ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ