ନୂଆଦିଲ୍ଲୀ: ଲିବରେସନ ଟାଇଗର୍ସ ଅଫ୍ ତାମିଲ୍ ଇଲମ (ଏଲଟିଟିଇ) ଉପରେ ଲାଗିଥିବା ପ୍ରତିବନ୍ଧକକୁ ଆହୁରି ୫ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ବ୍ୟାନକୁ ତତ୍କାଳ ଲାଗୁ କରିବାକୁ ଗୃହମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ ଅଧିନିୟମ, 1967 ବଳରେ ଏହି ବ୍ୟାନ ଅବଧିକୁ ବୃଦ୍ଧି କରାଯାଇଛି ।
ଏଲଟିଟିଇ ଦ୍ବାରା ଜାରି ରହିଥିବା ହିଂସା ଏବଂ ବିଧ୍ବଂସକାରୀ କାର୍ଯ୍ୟକଳାପ ଭାରତର ଏକତା ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି । ଏହା ଭାରତ ବିରୋଧୀ ଅଟେ ଏବଂ ଏହି ସଂଗଠନ ଭାରତୀୟ ନାଗରିକଙ୍କ ପାଇଁ ଗଭୀର ବିପଦ ସୃଷ୍ଟି କରୁଛି । ତେଣୁ ଏହି ପ୍ରତିବନ୍ଧକ ଅବଧିକୁ ବୃଦ୍ଧି କରାଯାଉଛି ବୋଲି ଗୃହମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ।
ସୂଚନା ଯୋଗ୍ୟ ଯେ, ଏଲଟିଟିଇ ଏବଂ ତାମିଲ୍ ଟାଇଗର୍ସର ଗଠନ 1976 ମସିହାରେ ବେଲାପୁଲ୍ଲଇ ପ୍ରଭାକରଣ କରିଥିଲେ । ସ୍ବତନ୍ତ୍ର ତାମିଲ୍ ପ୍ରଦେଶର ସ୍ଥାପନା ଏହି ସଂଗଠନର ମୂଳ ଲକ୍ଷ୍ଯ ଥିଲା । ତେବେ ଏଲଟିଟିଇକୁ ଭାରତ, ବ୍ରିଟେନ, ଆମେରିକା ଏବଂ ଯୁରୋପ ସଂଘ ଭଳି ବିଭିନ୍ନ ଦେଶରେ ଆତଙ୍କବାଦୀ ସଂଗଠନର ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି ।