ଭୋପାଳ: କଥାରେ ଅଛି ଆପଣଙ୍କ ମଧ୍ୟରେ କିଛି କରିବାର ସାମର୍ଥ୍ୟ ଥିଲେ ସମସ୍ୟା ଆପଣଙ୍କ ଆଗରେ ନତମସ୍ତକ ହୋଇଥାଏ। ଏମିତି ହିଁ କିଛି କରି ଦେଖାଇଛନ୍ତି ଝାଡ଼ଖଣ୍ଡ ବାସିନ୍ଦା ଧନଞ୍ଜୟ ମାଝୀ। ଧନଞ୍ଜନୟ ଏକ ସ୍କୁଟିରେ ଗର୍ଭବତୀ ପତ୍ନୀଙ୍କ ପରୀକ୍ଷା ପାଇଁ ଝାଡ଼ଖଣ୍ଡରୁ 1200 କିମି ଯାତ୍ରା କରି ମଧ୍ୟପ୍ରଦେଶର ଗ୍ବାଲିୟରରେ ପହଞ୍ଚି ଥିଲେ।
ଝାଡ଼ଖଣ୍ଡ ଟୋଲା ଗାଁରେ ରହୁଥିବା ଧନଞ୍ଜୟଙ୍କ ପତ୍ନୀ ଅନିତା ବି.ଏଡ ଦ୍ବିତୀୟ ବର୍ଷର ଛାତ୍ରୀ। ଧନଞ୍ଜନ ଗୁଜରାଟରେ ରୋଷେୟା ଭାବରେ କାମ କରୁଥିଲେ। କିନ୍ତୁ ଲକଡାଉନ ଯୋଗୁଁ ତାଙ୍କୁ ଚାକିରୀ ହରାଇବାକୁ ପଡ଼ିଲା। ସେହି ଦିନଠାରୁ ସେ ରୋଜଗାର ହରାଇ ବସିଛନ୍ତି।
ପତ୍ନୀଙ୍କ ପରୀକ୍ଷା ତାରିଖ ପାଖେଇ ଆସିଥୁଲା, ସେତେବେଳେ ସେ ବସରେ ଗ୍ବାଲିୟର ଯିବା ପାଇଁ ଭାବିଥିଲେ। ଘରୋଇ ବସ ସହ ଯୋଗାଯୋଗ କରିବାରେ ବସ ମାଲିକ ଜଣେ ଗ୍ରାହକଙ୍କ ପାଇଁ 15 ହଜାର ଟଙ୍କା ବସ ଭଡ଼ା ନେବେ ବୋଲି କହିଥିଲେ। ତେବେ ଧନଞ୍ଜୟ ଏତେ ଟଙ୍କା ଦେବାକୁ ସମର୍ଥ ନଥିଲେ। ଏଥିପାଇଁ ସେ ଏକ ଟ୍ରେନ ଟିକଟ ବୁକ କରିଥିଲେ। କିନ୍ତୁ ଠିକଣା ସମୟରେ ହିଁ ଟ୍ରେନ ବି ବାତିଲ ହେଲା। ଗ୍ବାଲିୟରରେ ପରୀକ୍ଷା ଦେବା ପାଇଁ ସମସ୍ତ ରାସ୍ତା ଯେମିତି ବନ୍ଦ ହୋଇଗଲା। ଏହାପରେ ଧନଞ୍ଜୟ ନିଜ ଉପରେ ଭରଷା କରି, 6 ମାସର ଗର୍ଭବତୀ ପତ୍ନୀଙ୍କୁ ନେଇ ଗ୍ବାଲିୟର ଯିବାକୁ ବାହାରି ପଡ଼ିଥିଲେ।
ଏହି ସମୟରେ ରାସ୍ତାରେ ପେଟ୍ରୋଲ ଓ ଖାଦ୍ୟ ମିଳିବା ଏକ ଚ୍ୟାଲେଞ୍ଜ ଥିଲା। ପତ୍ନୀ ଅନିତା ନିଜ ଗହଣା ବନ୍ଧା ପକାଇ ଏହି ସମସ୍ୟାର ସମାଧାନ କରିଥିଲେ।
ଗ୍ବାଆଲିୟରରେ ପହଞ୍ଚିବା ପରେ ଆଉ ଏକ ସମସ୍ୟା ଆସି ପହଞ୍ଚି ଥିଲା। ରହିବେ କେଉଁଠି, ପରୀକ୍ଷା ଦେବା ପରେ ଘରକୁ କେମିତି ଫେରିବେ ? ଏହି ସମୟରେ ଇଟିଭି ପ୍ରତିନିଧିଙ୍କ ସହ ଧନଞ୍ଜୟଙ୍କ ଦେଖା ହୁଏ। ଆମ ପ୍ରତିନିଧିତ ଦୁହିଁଙ୍କ ସମସ୍ୟା ଶୁଣିବା ସହ ଖବର ପ୍ରକାଶିତ କରିଥିଲେ। ଖବର ପ୍ରକାଶିତ ହେବାକ୍ଷଣୀ ଜିଲ୍ଲା ପ୍ରଶାସନ ଏହି ଦମ୍ପତ୍ତିଙ୍କୁ 50 ହଜାର ଟଙ୍କାର ଚେକ୍ ଦେଇଥିବା ବେଳେ କିଛି ସମାଜ ସେବୀ ସେମାନଙ୍କ ରହିବା ବ୍ୟବସ୍ଥା କରି ଦେଇଥିଲେ।
ଧନଞ୍ଜୟଙ୍କ ସପୋର୍ଟ ପାଇଁ ଅନିତା ଖୁସି ଜାହିର କରିଛନ୍ତି। ଗର୍ଭଧାରଣ ସମୟରେ ବାହାରକୁ ଯିବାକୁ ଧନଞ୍ଜୟଙ୍କ ପରିବାର ଲୋକେ ମନା କରୁଥିଲେ। ହେଲେ ଅନିତାଙ୍କ ସ୍ବାମୀ ତାଙ୍କୁ ଯେମିତି ହେଲେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଗ୍ବାଆଲିୟର ଯିବା ବାଟରେ ବହୁ ସମସ୍ୟା ଦେଖା ଦେଲା। ବନ୍ୟା ଯୋଗୁଁ ରାସ୍ତଘାଟ ଖରାପ ଥିଲା। ପାଣିରେ ଯାଆଆସ କରି ଅନିତାଙ୍କ ପାଦ ମଧ୍ୟ ଫୁଲି ଯାଇଥିବା ବେଳେ ଗ୍ବାଲିୟରରେ ପହଞ୍ଚିବା ପରେ ଦେହ ଖରାପ ହୋଇଯାଇଥିଲା।
ବର୍ତ୍ତମାନ ଧନଞ୍ଜୟଙ୍କ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ନେଇଛି। ସମୟର ପୂର୍ବରୁ ପୁତ୍ରଟି ଜନ୍ମ ନେଇଛି। ଏବେ ଧନଞ୍ଜୟଙ୍କ ଆତ୍ମବିଶ୍ବାସ ଓ ପୁତ୍ର ଦୁହେଁ ସୁସ୍ଥ ଅଛନ୍ତି। ଅନିତା ବି ଖୁସି ଅଛି।
ଦୁହିଁଙ୍କ ପାଇଁ ଏହା ଏକ ଅଲଗା ଅନୁଭୁତି ଥିଲା। ତେବେ ବିଭିନ୍ନ ସମସ୍ୟା ଦେଇ ଗ୍ବାଲିୟରରେ ପହଞ୍ଚିବା ଦୁହିଁଙ୍କୁ ପ୍ରଶାସନ ସହଯୋଗ କରିଥିଲା। ବିମାନରେ ଘରକୁ ପଠାଇବା ବ୍ୟବସ୍ଥା ହୋଇଥିଲା। ଘରେ ପହଞ୍ଚିବାର ଦେଢ଼ ମାସ ପରେ ହିଁ ଅନିତା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।
ପରିବହନ ସାଧନ ନଥିବାରୁ ସ୍କୁଟିରେ ଯିବାକୁ ବାଧ୍ୟ ହେଲେ ଧନଞ୍ଜୟ ଓ ଅନିତା। ଧନଞ୍ଜୟ ମାଟ୍ରିକ ମଧ୍ୟ ପାସ କରି ପାରିନାହାନ୍ତି। କିନ୍ତୁ ପତ୍ନୀଙ୍କ ପାଠ ପ୍ରତି ଆଗ୍ରହ ଦେଖି ସେ ତାଙ୍କୁ ସମସ୍ତ ପ୍ରକାର ସହାୟତା କରିବାକୁ ଚାହୁଁଥିଲେ।
ପତ୍ନୀଙ୍କ ଜିଦ ଥିଲା, ବି.ଏଡ ପରୀକ୍ଷା ଦେଇ ଶିକ୍ଷୟିତ୍ରୀ ହେବେ। ଯାହା ଫଳରେ ପରିବାର ସମସ୍ୟା କିଛିଟା ଲାଘବ ହେବ। କାରଣ ଲକଡାଉନ ଯୋଗୁଁ ଧନଞ୍ଜୟଙ୍କ ଗୁଜରାଟ ଫେରିବା ବାଟ ବନ୍ଦ ହୋଇଯାଇଥିଲା। ପତ୍ନୀ ଅନିତାଙ୍କ ଜିଦକୁ ସମ୍ମାନ ଦେଇ ଧନଞ୍ଜୟ ସ୍ବାମୀର କର୍ତ୍ତବ୍ୟ ପାଳନ କରିଥିଲେ। ଦୁହିଁଙ୍କ ସିଦ୍ଧାନ୍ତ ଓ ଆତ୍ମବିଶ୍ବାସକୁ ଦେଖି ଯେକୌଣସି ବ୍ୟକ୍ତି ତାଙ୍କୁ ସଲାମ କରିବ। ସାହାସ, ନିଷ୍ଠା ଓ କଠିନ ପରିଶ୍ରମକୁ ନେଇ ଦୁହିଁଙ୍କ ପ୍ରଶଂସାରେ ଶତମୁଖ ସ୍ଥାନୀୟ ବାସିନ୍ଦା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ