ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ନଜରବନ୍ଦୀ ଥିବା ନେତାଙ୍କୁ ଧୀରେ ଧୀରେ ମୁକ୍ତ କରାଯାଉଛି । ଗୁରୁବାର ଜମ୍ମୁ-କଶ୍ମୀରରେ ନଜରବନ୍ଦୀ ଥିବା ଆଉ ୫ ରାଜନେତାଙ୍କୁ ମୁକ୍ତ କରିଦିଆଯାଇଛି। ଏହି ନେତାମାନଙ୍କ ମଧ୍ୟରେ ରହିଛନ୍ତି ନ୍ୟାଶନାଲ କନଫରେନ୍ସ ନେତା ସଲମାନ ସାଗର, ପିଡିପି ନେତା ନିଜାମୁଦ୍ଦିନ ଭଟ୍ଟ, ସୌକତ ଗନାଇ, ଆଲ୍ଫା କାଲୁ ଓ ମୁକତାର ବାବା ।
ଏହାପୂର୍ବରୁ ଡିସେମ୍ବର 30 ତାରିଖରେ ପିଡିପି ଏବଂ ନ୍ୟାଶନାଲ କନଫରେନ୍ସର 5 ଜଣ ରେଜନେତାଙ୍କୁ ମୁକ୍ତ କରାଯାଇଥିଲା । ତେବେ ବର୍ତ୍ତମାନ ଆଉ ୨୧ ନେତା ନଜରବନ୍ଦୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବ୍ଦୁଲ୍ଲା, ମେହବୁବା ମଫ୍ତି ଏବଂ ଉମର ଅବ୍ଦୁଲା ସାମିଲ ଅଛନ୍ତି ।
ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଅନେକ ନେତାଙ୍କୁ ନଜରବନ୍ଦୀ ରଖାଯାଇଥିଲା ।