ନୂଆଦିଲ୍ଲୀ: ଭାରତରେ ଚିନ୍ତା ବଢାଉଛି କୋରୋନା ସଂକ୍ରମଣ । ଦିନକୁ ଦିନ ଭୟଙ୍କର ରୂପ ନେଉଛି କୋରୋନା ଭାଇରସ । ପ୍ରତ୍ୟେକ ଦିନ ସଂକ୍ରମଣ ସଂଖ୍ୟାରେ ଆସୁଛି ନୂଆ ରେକର୍ଡ । ଯାହାଦ୍ବାରା ବର୍ତ୍ତମାନ 11 ଲକ୍ଷ ଅଭିମୁଖେ ପଜିଟିଭ ସଂଖ୍ୟା ।
ସ୍ବାସ୍ଥ୍ୟମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଦେଶରେ ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 38 ହଜାର 902 କୋରୋନା ପଜିଟିଭ ରିପୋର୍ଟ ହୋଇଛି । ଏଥିରେ 543 ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ତେବେ ପ୍ରତ୍ୟେକ ଦିନ ଏତେ ସଂଖ୍ୟକ ମାତ୍ରାରେ ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ।
ତେବେ ରବିବାର ସକାଳ ସୁଦ୍ଧା ଦେଶରେ 10 ଲକ୍ଷ 77 ହଜାର 618ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା । ଯେଉଁଥିରେ ମୋଟ 26 ହଜାର 816 ଜଣଙ୍କର ମୃତ୍ୟୁ ହୋଇଛି । 6 ଲକ୍ଷ 77 ହଜାର 423 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ ସୁଦ୍ଧା 3 ଲକ୍ଷ 73 ହଜାର 379ଟି ମାମଲା ସକ୍ରିୟ ରହିଛି ।
ସେହିପରି ଭାରତରେ ଅତ୍ୟଧିକ ପ୍ରଭାବିତ ରାଜ୍ୟ ଭିତରେ ମହାରାଷ୍ଟ୍ର ରହିଛି । ଯେଉଁଠି ବର୍ତ୍ତମାନ 3 ଲକ୍ଷ ପାର କରିଛି ସଂକ୍ରମଣ ସଂଖ୍ୟା । ଏଥିରେ 11 ହଜାର 596 ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ତା'ପରକୁ ରହିଛି ତାମିଲନାଡୁ ଯେଉଁଠି 1 ଲକ୍ଷ 65 ହଜାର 714ଟି ପଜିଟିଭ ରିପୋର୍ଟ ହୋଇଥିବାବେଳେ, ରାଜ୍ୟରେ ମୃତ୍ୟୁ ହାର 2 ହଜାର 403 ରହିଛି ଯାହା ସଂକ୍ରମଣ ଠାରୁ ବେଶ କମ ରହିଛି । ସେହପିରି 3ୟ ସ୍ଥାନରେ ଦିଲ୍ଲୀ, 4ର୍ଥରେ କର୍ଣ୍ଣାଟକ ଓ 5ମରେ ଗୁଜୁରାଟ ରହିଛି । ଯେଉଁଠି ସଂକ୍ରମଣ ସଂଖ୍ୟା ବେଶ ଅଧିକ ରହିଛି ।