ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଭୟଙ୍କର ପାଲଟୁଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା କମିବା ବଦଳରେ ବଢିବାରେ ଲାଗିଛି । ଦେଶର ପ୍ରଥମ ରାଜ୍ୟ ଭାବେ ଏଠାରେ କୋଭିଡ 19 ପଜିଟିଭ 30 ହଜାର ପାର କରିଛି ।
ଶନିବାର ମହାରାଷ୍ଟ୍ରରେ 1606 ନୂଆ କେସ ବାହାରିଛି । ଫଳରେ ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 30 ହଜାର 706 ଛୁଇଁଛି । ସେହିପରି 24 ଘଣ୍ଟାରେ 67 ମୃତ୍ୟୁ ସହ ମୋଟ ମୃତ୍ୟୁସଂଖ୍ୟା 1135 ରହିଛି । ଶନିବାର 524 ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ 7088 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । 22 ହଜାର 479ଟି ଆକ୍ଟିଭ କେସ ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ସେହିପରି ମାୟା ନଗରୀରେ ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର ଟପିଛି । ଶନିବାର 884 ଜଣ ଆକ୍ରାନ୍ତ ବାହାରିଛନ୍ତି । ମୋଟ ପଜିଟିଭ ସଂଖ୍ୟା 18 ହଜାର 396 ରହିଛି । 24 ଘଣ୍ଟାରେ 238 ଜଣ ସୁସ୍ଥ ହେବା ସହ ଏବେ ଯାଏଁ 4806 ଲୋକ ସୁସ୍ଥ ହୋଇ ଛାଡ ପାଇଛନ୍ତି । 696 ଜଣଙ୍କର ମୃତ୍ୟୁ ହୋଇଥିବା ଗ୍ରେଟର ମୁମ୍ବାଇ ପୌର ପରିଷଦ ସୂଚନା ଦେଇଛି । ସେହିପରି ପୁନେରେ ଶନିବାର 11 ମୃତ୍ୟୁ ସହ ମୋଟ 197 ରହିଛି ବୋଲି ଜଣାପଡିଛି ।
ଶନିବାର ଦାଦର, ମହିମ ଓ ଧରାଭୀରେ କୌଣସି ମୃତ୍ୟୁ ହୋଇନାହିଁ । ମୋଟ 24 ଘଣ୍ଟାରେ ଧରାଭୀରେ 53ଟି କେସ ବାହାରିଛି । ଏପର୍ଯ୍ୟନ୍ତ ଧରାଭୀରେ 1198 ଆକ୍ରାନ୍ତ ସ୍ପଷ୍ଟ ହୋଇଥିବା ବ୍ରିହାଣ ମୁମ୍ବାଇ ପୌର ପରିଷଦ ସୂଚନା ଦେଇଛି ।
ସୌଜନ୍ୟ@ANI