ନୂଆଦିଲ୍ଲୀ: କୋରୋନା ଭାଇରସ କବଳିତ ଜାପାନ ଜାହାଜ ଡାଇମଣ୍ଡ ପ୍ରିନ୍ସେସରେ ଫସିଥିବା 119 ଭାରତୀୟଙ୍କୁ ଏୟାରଲିଫ୍ଟ କରାଯାଇଛି । ସେମାନଙ୍କ ମଧ୍ୟରେ ବ୍ରହ୍ମପୁରର ଶିବାଶିଷ ନାୟକ ମଧ୍ୟ ରହିଛନ୍ତି । ସେ ଏକ କମ୍ପାନୀ ପକ୍ଷରୁ ଡାଇମଣ୍ଡ ପ୍ରିନସେସ୍ ଜାହାଜରେ କର୍ମଚାରୀ ଭାବେ କାମ କରୁଥିଲେ । ତେବେ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଏହି ଭାରତୀୟଙ୍କ ସମେତ 5 ବିଦେଶୀ ନାଗରିକଙ୍କୁ ନେଇ ଗୁରୁବାର ସକାଳୁ ଦିଲ୍ଲୀ ବିମାନ ବନ୍ଦରରେ ଲ୍ୟାଣ୍ଡ କରିଛି । 5 ବିଦେଶୀ ନାଗରିକଙ୍କ ମଧ୍ୟରେ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଏବଂ ପେରୁର ନାଗରିକ ରହିଛନ୍ତି । ତେବେ ଏନେଇ ଜାପାନକୁ ଧନ୍ୟବାଦ ଦେଇଛି ଭାରତ ।
ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି କହିଛନ୍ତି, 'ଏୟାର ଇଣ୍ଡିଆର ବିମାନ 119 ଭାରତୀୟ ଏବଂ 5 ବିଦେଶୀ ନାଗରିକଙ୍କୁ ନେଇ ଟୋକିଓରୁ ଦିଲ୍ଲୀ ପହଞ୍ଚିଛି । ଏହି ସମସ୍ତେ କୋରୋନା ଭାଇରସ ଯୋଗୁଁ ଡାଇମଣ୍ଡ ପ୍ରିନ୍ସେସରେ ଫସିଥିଲେ । ସେମାନଙ୍କୁ ଉଦ୍ଧାର କରିବାରେ ଜାପାନୀ ଅଧିକାରୀ ସାହାଯ୍ୟର ହାତ ବଢାଇଥିଲେ । ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ । ଏୟାର ଇଣ୍ଡିଆକୁ ମଧ୍ୟ ଏଥିପାଇଁ ଧନ୍ୟବାଦ । '
ସୂଚନାଯୋଗ୍ୟ ଯେ, 138 ଭାରତୀୟଙ୍କ ସମେତ ମୋଟ 3711 ଜଣ ଜାପାନ ଜାହାଜ ଡାଇମଣ୍ଡ ପ୍ରିନ୍ସେସରେ ଯାତ୍ରା କରୁଥିଲେ । ଭାରତୀ ୟଙ୍କ ମଧ୍ୟରେ 132 ଜଣ ଚାଳକ ଦଳର ସଦସ୍ୟ ଥିବା ବେଳେ 6 ଜଣ ଯାତ୍ରୀ ଥିଲେ । ତେବେ ଜାହାଜରେ ଥିବା ଯାତ୍ରୀଙ୍କ ମଧ୍ୟରୁ କେତେ ଜଣଙ୍କ ମଧ୍ୟରେ କୋରୋନା ଭାଇରସ ସଂକ୍ରମଣର ଆଶଙ୍କା ଦେଖାଦେଇଥିଲା । ଫଳରେ ଏହି ଜାହାଜଟି ଗତ ଫେବୃଆରୀ 5 ତାରିଖରୁ ଜାପାନର ତଟରେ ଫସିରହିଥିଲା । ପରୀକ୍ଷଣ ପରେ ଜାହାଜରେ ଥିବା ଯାତ୍ରୀଙ୍କ ମଧ୍ୟରୁ 16 ଜଣ ଆକ୍ରାନ୍ତ ଥିବା ଜଣାପଡିଥିଲା । ତେବେ ଯେଉଁମାନେ ଭାଇରସ ଦ୍ବାରା ଆକ୍ରାନ୍ତ ହୋଇ ନାହାନ୍ତି, ସେମାନେ ହିଁ ଭାରତ ଫେରିଛନ୍ତି । ଆକ୍ରାନ୍ତଙ୍କୁ ଚିକିତ୍ସା ଲାଗି ଜାପାନର ଡାକ୍ତରଖାନାରେ ଭାର୍ତ୍ତି କରାଯାଇଛି ।
@ANI