କୋଲକାତା: ହିଂସା, ଧମକ ଆଉ ନାଲି ଆଖିର ଭୟ ଭିତରେ ସରିଛି ବଙ୍ଗ ମୈଦାନର ହଟ୍ସିଟ ଭବାନୀପୁର ବିଧାନସଭା ଉପନିର୍ବାଚନର ମତଦାନ । ମତଦାନ ଶେଷ ସୁଦ୍ଧା 53.32 ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହାରି ମଧ୍ୟରେ ଇଭିଏମ ମେସିନରେ ସିଲ୍ ହୋଇଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାଜିରେ ଲାଗିଥିବା ପ୍ରତିଷ୍ଠାର ଭାଗ୍ୟ ।
ପଶ୍ଚିମବଙ୍ଗ ଭବାନୀପୁର ଆସନରେ ବିଧାୟକ ସୋଭନଙ୍କ ଇସ୍ତଫା ପରେ ଏଠାରେ ଉପନିର୍ବାଚନ ଘୋଷିତ ହୋଇଥିଲା । ହାଇପ୍ରୋଫାଇଲ ସିଟ୍ରେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟେକ ବୁଥରେ ମୁତୟନ ହୋଇଥିଲେ କେନ୍ଦ୍ରୟ ସୁରକ୍ଷାବଳ । କଡା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟାରେ ସରିଛି ।
ଭବାନୀପୁର ବିଧାନସଭା ଆସନରେ ମତଦାନ ପାଇଁ ୯୭ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା । ମତଦାନ କେନ୍ଦ୍ରର ସୁରକ୍ଷା ପାଇଁ ମୁତୟନ ହୋଇଥିଲେ ୧୫ ସୁରକ୍ଷାବଳ କମ୍ପାନୀ । ସମ୍ପୂର୍ଣ୍ଣ ଭବାନୀପୁରରେ ଲାଗୁ ହୋଇଥିଲା ଧାରା ୧୪୪ । ତଥାପି ଅନେକ ଅଞ୍ଚଳରେ ବୁଥ ଟ୍ୟାମ୍ପରିଂ ଓ ଗଣ୍ଡଗୋଳ ନେଇ ସାମ୍ନାକୁ ଆସିଛି ଖବର । ଆଉ ଉଭୟ ବିଜେପି ଓ ତୃଣମୂଳ କଂଗ୍ରେସ ଏଥିପାଇଁ ପରସ୍ପରଙ୍କୁ ଦାୟୀ କରିଛନ୍ତି ।
ଭାବନୀପୁର ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ମୈଦାନରେ ଅଛନ୍ତି । ମମତାଙ୍କ ବିରୋଧରେ ଛିଡା ହୋଇଛନ୍ତି ଭାରତୀୟ ଜନତା ପାର୍ଟିର ପ୍ରିୟଙ୍କା ଟିବ୍ରେଓ୍ବାଲ । ତେବେ ମମତାଙ୍କ ପାଇଁ ଏହି ନିର୍ବାଚନ ଅତ୍ୟନ୍ତ ମହତ୍ବ ରଖୁଛି । କାରଣ ଏଠାରେ ବାଜିରେ ଲାଗିଛି ମୁଖ୍ୟମନ୍ତ୍ରୀ ଆସନ । ୫ ନଭେମ୍ବରସୁଦ୍ଧା ମମତାଙ୍କ ବିଧାନସଭାରେ ସଦସ୍ୟତା ଗ୍ରହଣ କରିବାକୁ ପଡିବ । ପୂର୍ବ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ ମମତା ।
ସାରା ଦେଶର ଫୋକସରେ ଏବେ ଭବାନୀପୁର । କାରଣ ନନ୍ଦିଗ୍ରାମରେ ମାତ ଖାଇବା ପରେ ଭବାନୀପୁରରେ ବାଜି ଲାଗିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିଷ୍ଠା । କର ବା ମର ସ୍ଥିତିରେ ଅଛନ୍ତି ଦିଦି । ଜିତିଲେ ପାଞ୍ଚ ବର୍ଷ କରିବେ ସମ୍ପୂର୍ଣ୍ଣ । ଆଉ ହାରିଲେ ହରାଇବେ ମୁଖ୍ୟମନ୍ତ୍ରୀ ପଦ ।