ଡେରାଡୁନ୍: ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଖାଇ ପିଇ ଖୁସିରେ ଘରକୁ ଫେରୁଥିଲେ । ହେଲେ କିଏ ଜାଣିଥିଲା ବାଟରେ କାଳ ଜଗି ବସିଛି । ଘରକୁ ଫେରିବା ବାଟରେ ହଠାତ କାରଟି ଘାଇକୁ ଖସି ପଡ଼ିଥିଲା । ଫଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଘଟିଛି ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ବଦ୍ରିନାଥ ଜାତୀୟ ରାଜପଥରେ । ତେବେ ଏହି ଅଘଟଣ ଶନିବାର ବିଳମ୍ବିତ ରାତିରେ ଘଟିଥିଲା ।
ସୂଚନା ପାଇବା ପରେ ପୋଲିସ, SDRF ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ହେଲେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ କାରରେ ଥିବା ସମସ୍ତ ୫ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା । କୁହାଯାଉଛି ଯେ, କାରରେ ଥିବା ସମସ୍ତ ସଦସ୍ୟ ଗୋଟିଏ ପରିବାରର । ସମସ୍ତେ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ଯାଇଥିଲେ ।
ତେବେ ଫେରିବା ବେଳେ କାର ଚଳାଉଥିବା ବ୍ୟକ୍ତି ଜଣଙ୍କ ଭାରସାମ୍ୟ ହରାଇବାରୁ ଗାଡ଼ିଟି ସିଧା ରାସ୍ତା କଡ଼ରେ ଥିବା ବିରାଟ ଘାଇକୁ ଖସି ପଡ଼ିଥିଲା । ପୋଲିସ ଏବେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ