ହାଇଦ୍ରାବାଦ: ଆଡୋବ୍ ଏକ ନୂଆ ଫଟୋସପ୍ ମୋବାଇଲ୍ ଆପ୍ ଲଞ୍ଚ କରିଛି, ଯାହା ୟୁଜର ଡେସ୍କଟପଠାରୁ ଆରମ୍ଭ କରି ମୋବାଇଲ୍ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଏଥିରେ ଜେନେରେଟିଭ୍ AI ଫିଚର ସହିତ ଅନେକ ଇମେଜିଂ ଉପକରଣ ବ୍ୟବହାର କରିବାର ଏକ ସୁଯୋଗ ଦିଆଯାଇଛି । କମ୍ପାନୀ ବର୍ତ୍ତମାନ ଏହି ଫଟୋସପ୍ ଏଡିଟିଂ ଆପ୍ କେବଳ ଆଇଫୋନରେ ଉପଲବ୍ଧ କରିଛି, କିନ୍ତୁ ଚଳିତ ବର୍ଷ କମ୍ପାନୀ ଆଣ୍ଡ୍ରଏଡ୍ ଡିଭାଇସ୍ ପାଇଁ ମଧ୍ୟ ଏହି ଆପ୍ ଲଞ୍ଚ କରିବ ।
ଗତ କିଛି ବର୍ଷ ଧରି ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ଡିଭାଇସ୍ ପାଇଁ ଆଡୋବ୍ ଏହାର ୟୁଜରଙ୍କୁ ଫଟୋସପ୍ ଏକ୍ସପ୍ରେସ ଆପ୍ ଉପଲବ୍ଧ କରାଇଛି । ବର୍ତ୍ତମାନ କମ୍ପାନୀ ଫଟୋସପ୍ ପାଇଁ ଏକ ନୂତନ ଆପ୍ ଲଞ୍ଚ କରିଛି, ଯାହା ବିଷୟରେ କମ୍ପାନୀ ଦାବି କରିଛି ଯେ ଏହି ଆପ୍ ପୁରୁଣା ଆପ୍ ଅପେକ୍ଷା ବହୁତ ଭଲ ଓ ଅଧିକ ଏଡିଟିଂ ଉପକରଣ ପ୍ରଦାନ କରିଛି ।
ନୂଆ ଆପ୍ରେ କଣ ଖାସ୍ ?
କମ୍ପାନୀର କହିବାନୁସାରେ ନୂଆ ଫଟୋସପ୍ ଆପ୍ର ମୋବାଇଲ୍ ଇଣ୍ଟରଫେସ୍ ବହୁତ ଭଲ । ଏହି କାରଣରୁ ବ୍ୟବହାର କରିବା ଅତି ସହଜ । ଆଡୋବ୍ର ନୂତନ ଏଡିଟିଂ ଆପ୍ ମାଧ୍ୟମରେ ୟୁଜର ନିଜ ଫୋନ ମାଧ୍ୟମରେ ଫଟୋ ଏଡିଟିଂ ଅତି ସହଜରେ କରିପାରିବେ । ଫଳରେ ଉଚ୍ଚ ସ୍ତରୀୟ ଏଡିଟିଂ କରିବା ପାଇଁ ସେମାନଙ୍କୁ ଏକ ଡେସ୍କଟପ୍ କିମ୍ବା କମ୍ପ୍ୟୁଟରର ମଧ୍ୟ ଆବଶ୍ୟକତା ପଡିବ ନାହିଁ । ନୂଆ ଆପ୍ ଅନେକ ଭଲ ଇମେଜ୍ ଏଡିଟିଂ ଫିଚର ଏବଂ ଡିଜାଇନ୍ ସହିତ ଆସିଛି । ଉଭୟ ମାଗଣା ଏବଂ ପ୍ରିମିୟମ୍ ସେବା ପାଇଁ ୟୁଜର ଏହି ଆପ୍ ବ୍ୟବହାର କରିବାକୁ ସମର୍ଥ ହେବେ । ଏଥିରେ Generative Fill ଓ Generative Expand ନାମକ ଦୁଇଟି ବିଶେଷ ଫିଚର ମଧ୍ୟ ଅଛି ।
ଆଇଫୋନ ପାଇଁ ମାଗଣା ଆପ୍
ଆଇଫୋନରେ ଏହି ଫଟୋସପ୍ ଆପ୍ ମାଗଣା । ଆଇଫୋନ୍ ୟୁଜର ଏହି ଆପ୍ର ମାଗଣା ଭାବେ ଆଡୋବ ଫଟୋସପ୍ ଉପକରଣ ବ୍ୟବହାର କରିପାରିବେ, ଯେଉଁଥିରେ ସିଲେକ୍ସନ, ଲେୟର୍ସ, ମାସ୍କ, ଟ୍ୟାପ୍ ସିଲେକ୍ଟ, ସ୍ପଟ୍ ହେଲିଙ୍ଗ୍ ବ୍ରଶ୍ ସହିତ ଅନେକ ବିଶେଷ ଫିଚର ଅନ୍ତର୍ଭୁକ୍ତ ।
ମାଗଣା ଓ ପ୍ରିମିୟମ ସେବା ପାଇଁ ଫିଚର
ପ୍ରିମିୟମ୍ ସେବାରେ ୟୁଜର ମ୍ୟାଜିକ୍ ୱାଣ୍ଡ୍, ରିମୁଭ୍ ଟୁଲ୍, କ୍ଲୋନ୍ ଷ୍ଟାମ୍ପ, ଅବଜେକ୍ଟ ସିଲେକ୍ଟ ଏବଂ କଣ୍ଟେଣ୍ଟ ଆୱାର୍ ଫିଲ୍ ଭଳି ଅନେକ ଫିଚର ବ୍ୟବହାର କରିପାରିବେ । ଏହାବାଦ ଏହି ଆପ୍ର ପ୍ରିମିୟମ୍ ସେବାରେ ଅନ୍ୟାନ୍ୟ ଅନେକ ବିଶେଷ ଏଡିଟିଂ ଫିଚର ଉପଲବ୍ଧ ଯାହା ଫଟୋସପ୍ ଏଡିଟିଂର ଅଭିଜ୍ଞତାକୁ ଉନ୍ନତ କରିପାରିବ ।
ଏହି ଆପ୍ର ପ୍ରିମିୟମ୍ ସେବାର ମୂଲ୍ୟ ହେଉଛି ମାସକୁ $ 7.99 (ପ୍ରାୟ 695 ଟଙ୍କା), ଯେତେବେଳେ କି 1 ବର୍ଷ ପାଇଁ ପ୍ରିମିୟମ୍ ସେବା ବ୍ୟବହାର କରିବାକୁ ହେଲେ ଆପଣଙ୍କୁ $ 69.99 (ପ୍ରାୟ 6096 ଟଙ୍କା) ଖର୍ଚ୍ଚ କରିବାକୁ ପଡ଼ିବ । ଏବେ ଏହି ଆପ୍ର ପ୍ରିମିୟମ୍ ସେବାର ବ୍ୟବହାର ମୋବାଇଲ ସହିତ iPad ଏବଂ Webରେ କରାଯାଇପାରିବ । ଭାରତରେ ଫଟୋସପ୍ ଆପ୍ର ସବସ୍କ୍ରିପସନ୍ ମୂଲ୍ୟ ମାସକୁ 733.96 ରୁ ଆରମ୍ଭ ହେଉଛି । ଯେଉଁଠାରେ ଫଟୋସପ୍ ଏବଂ ଲାଇଟରୁମ୍ର ବଣ୍ଡଲ୍ ପ୍ୟାକ୍ ମାସକୁ 798.10 ଟଙ୍କାରେ ଉପଲବ୍ଧ ।