ଭୁବନେଶ୍ବର: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ସଦସ୍ୟ ସଂଗ୍ରହ ଅଭିଯାନ ଦୁଇ ମାସ ଧରି ଚାଲିବ । ଦଳ ସଭାପତି ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପଞ୍ଜିକୃତ ହୋଇଛନ୍ତି । ବରିଷ୍ଠ ନେତା ଅଶୋକ ଚନ୍ଦ୍ର ପଣ୍ଡା ଦଳର ସୁପ୍ରିମୋଙ୍କୁ ପ୍ରଥମ ସଭ୍ୟ ଭାବେ ପଞ୍ଜିକୃତ କରିଛନ୍ତି । ଉଭୟ ଡିଜିଟାଲି ଓ ଫିଜିକାଲି ଆରମ୍ଭ ହୋଇଛି ଦଳର ସଦସ୍ୟ ସଂଗ୍ରହ ଅଭିଯାନ । କୋଟିଏ ସଦସ୍ୟ ସଂଗ୍ରହ ଲକ୍ଷ୍ୟ ରଖିଛି ବିଜେଡ଼ି । ସେପଟେ ମିସ୍ଡ କଲକୁ ନେଇ କଟାକ୍ଷ କଲେ ବିଜେଡି ସୁପ୍ରିମୋ । ଜବାବ ଦେଲା ବିଜେପି ।
ଦଳର ଆଦର୍ଶ କହି ଲୋକଙ୍କୁ ସାମିଲ କରନ୍ତୁ:
ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, "ସଭ୍ୟ ସଂଗ୍ରହ ଅଭିଯାନ ରାଜନୈତିକ ଦଳର ଗୁରୁତ୍ବପୂର୍ଣ କାର୍ଯ୍ୟକ୍ରମ । ଦଳର ସକ୍ରିୟ ସଭ୍ୟ ପ୍ରତି ଘରକୁ ଯାଆନ୍ତୁ । ଦଳର ଆଦର୍ଶ ଓ କାର୍ଯ୍ୟକ୍ରମ ବାବଦରେ ଲୋକମାନଙ୍କୁ ବୁଝାନ୍ତୁ । ଲୋକଙ୍କ ମତ ନେଇ ସେମାନଙ୍କୁ ଦଳରେ ସାମିଲ କରନ୍ତୁ । ଓଡିଶା ଅଥବା ଦେଶ ବାହାରେ ରହୁଥିବା ପ୍ରବାସୀ ଅନଲାଇନ ଜରିଆରେ ଦଳରେ ସାମିଲ ହୁଅନ୍ତୁ ।"
ବିଜେପିର ମିସଡ଼ କଲ ସଦସ୍ୟତାକୁ କଟାକ୍ଷ:

ନବୀନ କହିଛନ୍ତି, "କିଛି ଦଳ ମିସଡ଼ କଲ କରି ସଭ୍ୟ ସଂଗ୍ରହ କରୁଛନ୍ତି । ଏହାକୁ ମୁଁ ନାପସନ୍ଦ କରୁଛି । ମିସଡ଼ କଲ ଡ଼ାଇରୀ ସେମାନଙ୍କ ସଦସ୍ୟତା ରେଜିଷ୍ଟର ହୋଇପାରେ । କିନ୍ତୁ ବିଜେଡି ସେସବୁଠୁ ବହୁ ଦୂରରେ ରହିଛି । ସେବା, ସ୍ବାଭିମାନ ଓ ସଂଗ୍ରାମ ବିଜୁ ଜନତା ଦଳର ଆଦର୍ଶ । ଓଡିଶା ବାସୀଙ୍କ ସେବା, ଓଡ଼ିଆ ଜାତିର, ସ୍ବାଭିମାନର ସୁରକ୍ଷା ଏବଂ ଓଡିଶାର ସ୍ବାର୍ଥ ପାଇଁ ବିଜୁ ବାବୁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରି ଯାଇଛନ୍ତି । ଆମ ସମସ୍ତଙ୍କ ପାଇଁ ବିଜୁ ବାବୁ ହେଉଛନ୍ତି ପ୍ରେରଣା ।"
- ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ
- ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପଞ୍ଜିକୃତ
- ଦଳରେ ସାମିଲ ହେବାକୁ ଆହ୍ବାନ
- ମିସଡ କଲକୁ ନେଇ ବିଜେପିକୁ କଲେ କଟାକ୍ଷ
- କାଉଣ୍ଟର କଲା ବିଜେପି
ବିଜେଡି ଯୋଜନା ଅନ୍ୟମାନଙ୍କ ପାଇଁ ମଡେଲ:
ବିଜୁ ଜନତା ଦଳ ସରକାର ସମୟରେ ହୋଇଥିବା ଭଲ କାମ ସମ୍ପର୍କରେ ନବୀନ ଉଲ୍ଲେଖ କରିଛନ୍ତି । କହିଛନ୍ତି, "ବିଜେଡି ସରକାରଙ୍କ ଯୋଜନା ଅନ୍ୟ ମାନଙ୍କ ପାଇଁ ମଡେଲ ହୋଇଛି । ଭାରତ ସରକାର ବି ଆମର ଅନେକ ଯୋଜନାକୁ ଗ୍ରହଣ କରିଛନ୍ତି । ଭୋଟ ବ୍ୟାଙ୍କ ସୃଷ୍ଟି କରିବା କେବେ ବି ବିଜେଡି ସରକାରର ଲକ୍ଷ୍ୟ ନ ଥିଲା । ବିକାଶ ଓ କଲ୍ୟାଣ ହେଉଛି ଆମର ଲକ୍ଷ୍ୟ । ବିଜେଡି ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନାରୁ ଓଡିଶା ବାସୀଙ୍କୁ କେହି ବଞ୍ଚିତ କରିପାରିବନାହିଁ ।"
ବିଜେଡି ଓଡିଶାର ଏକ ନମ୍ବର ଦଳ:

ନବୀନ କହିଛନ୍ତି, "ବିଜେଡି ଓଡିଶାର ଏକ ନମ୍ବର ଦଳ । ଗତ ନିର୍ବାଚନରେ ବିଜେଡି ଅଧିକ ଭୋଟ ପାଇଥିଲା । ଭୋଟ ହାର ମଧ୍ୟ ଅଧିକ ଥିଲା । ବିଜେଡି ଓଡିଶାବାସୀଙ୍କ ହୃଦୟରେ ଅଛି । ଓଡିଶାର ଗୌରବ ପାଇଁ ନିଷ୍ଠାର ସହ କାମ କରିଚାଲିଛି । ଆମେ ସମସ୍ତ ବିଜେଡିର କର୍ମୀ ଓଡିଶା ମା'ର ସେବକ ବୋଲି ଗର୍ବର ସହ କହିବା ।"
ଭିସିରେ ୨୩ ସାଂଗଠନିକ ଜିଲ୍ଲାର ନେତା ଓ କର୍ମୀ ସାମିଲ:

ସଭ୍ୟ ସଂଗ୍ରହ କମିଟିର ଅଧ୍ୟକ୍ଷ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଉଦବୋଧନ ଦେଇଛନ୍ତି । ଭିସି ଜରିଆରେ ୨୩ ସାଂଗଠନିକ ଜିଲ୍ଲାର ନେତା ଓ କର୍ମୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଦଳ ସଭାପତିଙ୍କ ଉପସ୍ଥିତିରେ ମୟୂରଭଞ୍ଜ, ମାଲକାନଗିରି, ଝାରସୁଗୁଡା, ପୁରୀ, ବରଗଡ ଓ ରାଉରକେଲାରେ ବିଭିନ୍ନ ବର୍ଗର ଲୋକ ବିଜେଡିର ସଦସ୍ୟତା ଗ୍ରହଣ କରିଛନ୍ତି ।
ବିଜେଡିକୁ ବାବୁଙ୍କ ଜବାବ:
ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି,ବିଜେଡି ସଦସ୍ୟତା କରୁଛି ଆମେ ସ୍ବାଗତ କରୁଛୁ । ସବୁ ରାଜନୈତିକ ଦଳ ନିଜ ନିଜ ସଦସ୍ୟତା କରାଇପାରିବେ । ବିଜେପି କେମିତି ସଦସ୍ୟତା ଗ୍ରହଣ କରିବ ସେଥିରେ ନବୀନ ବାବୁ କାହିଁକି ମୁଣ୍ଡ ଖେଳାଉଛନ୍ତି । ଆମେ ମିସଡ଼ କଲ କରି ସଦସ୍ୟତା କରିବୁ, କି ସିଧା ଘରକୁ ଯାଇ ସଦସ୍ୟତା କରିବୁ ସେଇଟା ଆମ ଦଳୀୟ ବ୍ୟାପାର। ନବୀନ ବାବୁ ବୋଧହୁଏ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିବାକୁ ଯାଇ ଅଧା ଜାଣିଛନ୍ତି କେବଳ ମିସଡ଼ କଲ କରି ସଦସ୍ୟ ତା ନେବା 2019ରେ ଥିଲା । ଏବେ ମିସଡ଼ କଲ ସହ ସଦସ୍ୟଙ୍କ ଡାଟା ବେଶ ହେଉଛି ସଦସ୍ୟଙ୍କ ନାଁଠୁ ଆରମ୍ଭ କରି ସବୁ ତଥ୍ୟ ନିଆଯାଉଛି । ଜଣେ ଜଣେ ଚାହିଁଲେ ସଦସ୍ୟ ହେଉଛି ତାଙ୍କ ଫଟୋ ବି ରହୁଛି ଆମ ଅନଲାଇନ ସଦସ୍ୟତାକୁ ନବୀନ ବାବୁ ଟିକେ ପୂର୍ଣ୍ଣ ମାତ୍ରାରେ ଦେଖନ୍ତୁ। ଯଦି ନ ଦେଖିଛନ୍ତି ତାହେଲେ ମୋତେ ଯଦି କହିବେ ମୁଁ ନବୀନ ନିବାସ ଯାଇ ତାଙ୍କୁ ସଦସ୍ୟ ତା ଗ୍ରହଣ କରାଇଦେବି।’
ନବୀନଙ୍କ ଟାର୍ଗେଟର ଜବାବ ଦେଲେ ଗୋଲକ:
ବିଜେପି ଉପସଭାପତି ଗୋଲୋକ ମହାପାତ୍ର କହିଛନ୍ତି, ‘ବିଜୁ ଜନତା ଦଳ କଣ କରିବ ଆମର କିଛି କହିବାର ନାହିଁ । ସେମାନେ ଯାହା କରିବା କଥା କରନ୍ତୁ। ଗତ ନିର୍ବାଚନରେ ସେମାନେ ତାର ଫଳ ପାଇ ସାରିଛନ୍ତି । ନବୀନ ବାବୁଙ୍କୁ ଓଡିଶା ଲୋକେ ପ୍ରତ୍ୟାକ୍ଷିତ କଲେ। ଗୋଟେ ଜାଗାରେ ହାରିଲେ ଆଉ ଗୋଟେ ଜାଗାରେ 4/5 ହଜାର ଭୋଟ ପାଇ ହାରୁ ହାରୁ ଜିତିଲେ ଏଥିରୁ ତାଙ୍କର ଲୋକପ୍ରିୟତା କଣ ତାହା ଅନୁଭବ କରିହେଉଛି । ମିସଡ଼ କଲ କରିବେ କି ଆଉ କେମିତି କରିବ ସେଇଟା ସେଇ ପାର୍ଟି ଚିନ୍ତା କରିବ । ସେଥିରେ ତାଙ୍କ କଣ ଯାଏ । 25 ବର୍ଷ ଧରି କ୍ଷମତାରେ ରହିଲା ସେମାନେ କଣ କରି କି ସଦସ୍ୟ କରୁଥିଲେ, କେମିତି କଲ କରି ଲୋକଙ୍କ ପାଖକୁ ଯାଉଥିଲେ, କେମିତି ଲୋକ ତାଙ୍କୁ ସରକାରରୁ ଅନ୍ତର କଲେ ତାର ସମୀକ୍ଷା ସେମାନେ କରନ୍ତୁ। ଆମେ କଣ କଲୁ ସେମାନେ ଚିନ୍ତା କରିବା ଦରକାର ନାହିଁ । ଆମେ ମିସଡ଼ କଲ କରିବା ପରେ ଆମ କାର୍ଯ୍ୟକର୍ତ୍ତା ପ୍ରତେକ ଘରକୁ ଯାଇ ତାଙ୍କର ସବୁ ତଥ୍ୟ ରଖୁଛନ୍ତି । ତାଙ୍କ ସହ ବସୁଛନ୍ତି, ତାଙ୍କ ସହ ସମ୍ପର୍କ କରୁଛନ୍ତି । ତେଣୁ ଯାହା ବିଜେପି କରୁଛି ତାହା ବିଜେଡି କରିପାରିବ ନାହିଁ। ଆମ ମୁଖ୍ୟମନ୍ତ୍ରୀ ସଦସ୍ୟତା ସଂଗ୍ରହ ବେଳେ ଲୋକଙ୍କ ଘରକୁ ଯାଉଛନ୍ତି ।’