ନବରଙ୍ଗପୁର: ଓଡ଼ିଶାରେ ମେ 13 ତାରିଖରୁ 4ଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ ମେ 13, ମେ 20, ମେ 25 ଓ ଜୁନ 1 ତାରିଖରେ ହେବ ଭୋଟ ଗ୍ରହଣ । ନବରଙ୍ଗପୁରରେ ମେ 13 ତାରିଖରେ ହେବ ମତଦାନ । ନିର୍ବାଚନ ତାରିଖ ଘୋଷଣା ଓ ଆଚରଣ ସଂହିତା ଲାଗୁ ହେବା ପରେ ନିର୍ବାଚନ ପରିଚାଳନାକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ।
ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ପ୍ରସ୍ତୁତି ଆରମ୍ଭ କଲା କଟକ ଜିଲ୍ଲା ପ୍ରଶାସନ
ଜିଲ୍ଲାପାଳ କମଲ ଲୋଚନ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, '' ଗୋଟିଏ ବୁଥରେ ୧୫୦୦ରୁ ଅଧିକ ଭୋଟର ରହିଥିବାରୁ ଗୋଟିଏ ଅଧିକ ଅରିଜିନାରି ବୁଥ କରାଯାଇଛି । ତେଣୁ ୯୯୩ ବୁଥରେ ହେବ ମତଦାନ । ଜିଲ୍ଲାରେ ୮ଲକ୍ଷ ୫୦ ହଜାର ୭୫୦ ଭୋଟର ରହିଛନ୍ତି । ସେଥିମଧ୍ୟରୁ ୪ ଲକ୍ଷ ୨୦ ହଜାର ୫୮୭ ପୁରୁଷ ଭୋଟର ରହିଥିବା ବେଳେ ୪ ଲକ୍ଷ ୩୦ ହଜାର ୧୦୪ ମହିଳା ଭୋଟର ରହିଛନ୍ତି । ମହିଳା ଓ ପୁରୁଷ ଭୋଟରଙ୍କ ତାରତମ୍ୟ ଦେଖିଲେ ମହିଳା ଭୋଟର ଅଧିକ ରହିଛନ୍ତି । ପ୍ରତ୍ୟେକ ହଜାରେ ପୁରୁଷ ଭୋଟରରେ ଏକ ହଜାର ୨୩ ମହିଳା ଭୋଟର ରହିଛନ୍ତି । ଜିଲ୍ଲାରେ ମତଦାନ ପାଇଁ ଅଢେଇ ହଜାର ଇଭିଏମ ରହିଛି । ସୀମାନ୍ତ ଛତିଶଗଡ଼ ଅଞ୍ଚଳ ସହିତ ଲାଗିଥିବା ଓଡିଶାର ଅଞ୍ଚଳରେ ନିର୍ବାଚନକୁ ଶୃଙ୍ଖଳିତ କରିବା ଓ ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିକୁ ଏଡ଼ାଇବା ପାଇଁ ଛତିଶଗଡ଼ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ରହିଛନ୍ତି ଜିଲ୍ଲାପାଳ ଓ ଏସପି । ଛତିଶଗଡ଼ର ଚାରି ଜିଲ୍ଲା କଣ୍ଡାଗାଁ, ବସ୍ତର, ଧନନ୍ତରି ଓ ଗୋରିଆବନ୍ଧ ଏସପି ଓ ଜିଲ୍ଲାପାଳଙ୍କ ସହିତ ତଥ୍ୟର ଆଦାନପ୍ରଦାନ କରାଯାଉଛି । ''
ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି, ''ଜିଲ୍ଲାର ୧୨ଟି ସଖି ବୁଥ କରାଯିବ ଓ 4 ବୁଥରେ ଦିବ୍ୟାଙ୍ଗ ପୋଲିଂ ପାର୍ଟି ରହିବେ । ୧୨୦ ବୁଥ ଇକୋଫ୍ରେଣ୍ଡଲି ବୁଥ କରାଯାଇ ପ୍ଲାଷ୍ଟିକ ଜିନିଷ ବ୍ୟବହାର ବାରଣ କରାଯାଇଛି । ୧୨ଟି ବୁଥରେ ସ୍ଥାନୀୟ ଆଦିବାସୀ ପରମ୍ପରାର ପ୍ରଦର୍ଶନୀ କରାଯିବ । ପ୍ରତ୍ୟେକ ବୁଥରେ ଲାଇଟ, ହ୍ବିଲ ଚେୟାର, ପିଇବା ପାଣି, ପାଇଖାନା ବ୍ୟବସ୍ଥା କରାଯିବା ସହିତ ୮୫ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ପାଇଁ ପୋଷ୍ଟାଲ ବ୍ୟାଲେଟର ବ୍ୟବସ୍ଥା କରାଯାଇଛି । ସେମାନେ ଘରେ ରହି ଭୋଟ ଦାନ କରିପାରିବେ । ''
ଇଟିଭି ଭାରତ, ନବରଙ୍ଗପୁର