ଭୁବନେଶ୍ବର: ମହାଶିବରାତ୍ରିରେ ବଡ ଅଘଟଣ । ଲିଙ୍ଗରାଜ ମନ୍ଦିରରେ ମହାଦୀପ ଚୂଡାକୁ ଉଠାଇବା ବେଳେ ଖସିପଡିଲେ ସେବାୟତ। ମହାଦୀପ ସହ ତଳେ ପଡିଗଲେ । ତାଙ୍କ ମୁଣ୍ଡରେ ଓ ବାମ ପାର୍ଶ୍ବ ଆଖି ପାଖରେ ଗଭିର ଆଘାତ ଲାଗିଛି । ଆହତ ସେବାୟତ ହେଉଛନ୍ତି ଯୋଗେନ୍ଦ୍ର ସମର୍ଥା । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହତ ସେବାୟତଙ୍କୁ ହସ୍ପିଟାଲରେ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି । ନିଆଁ ଛିଟିକି ଦୁଇ ସେବାୟତ ମଧ୍ୟ ଆହାତ ହୋଇଛନ୍ତି ।
ଲିଙ୍ଗରାଜ ମନ୍ଦିରରେ ଖସିପଡିଲେ ସେବାୟତ:
ଆହତ ସେବାୟତ ସମର୍ଥା ସେବାୟତ ଭାବେ ମନ୍ଦିରରେ ସେବା କରନ୍ତି। ପ୍ରତିବର୍ଷ ମନ୍ଦିରର ବାନା ବାନ୍ଧିବା ଓ ଧ୍ଵଜା ବଦଳାଇବା ସହ ମହାଦୀପ ଉଠାଇବା କାମ କରନ୍ତି । ଗତକାଲି ମହାଶିବରାତ୍ରିରେ ମହାଦୀପ ଧରି ସେ ମନ୍ଦିର ଚୂଡାକୁ ଯିବାକୁ ବାହାରିଥିଲେ । ମାତ୍ର 20 ଫୁଟ ଉଚ୍ଚତାକୁ ଚଢିବା ପରେ ତାଙ୍କ ହାତ ଖସିଯିବାରୁ ସେ ତଳେ ପଡିଯାଇଥିଲେ । ଭିଡକୁ ଏଡାଇ ଆମ୍ବୁଲାନ୍ସ ଯୋଗେ ଆହତ ସେବାୟତଙ୍କୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅନ୍ୟ ଜଣେ ସମର୍ଥା ସେବାୟତ ମହାଦୀପ ନେଇ ଉପରକୁ ଉଠିଥିଲେ । ପ୍ରଥମ ଥର ପାଇଁ ମହାଶୀବରାତ୍ରିରେ ଏପରି ଅଘଟଣ ଘଟିଛି ।
ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ:
ସେବାୟତ ଆହତ ସମ୍ପର୍କରେ ଖବର ପାଇବା ପରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ବାବୁ ସିଂ ମଧ୍ୟ ହସ୍ପିଟାଲ ଯାଇ ଆହତ ସେବାୟତଙ୍କୁ ଭେଟିଥିଲେ । ସେମାନଙ୍କର ଅବସ୍ଥା ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଜଣେ ସେବାୟତ ଯିଏ ମହାଦୀପ ନେଉଥିଲେ ତାଙ୍କର ମୁଣ୍ଡରେ ଆଘାତ ଲାଗିଛି ଓ ଅନ୍ୟ ଦୁଇ ଜଣ ମହାଦୀପର ନିଆଁ ଛିଟିକି ପଡି ଆହାତ ଥିବା ଆଇନମନ୍ତ୍ରୀ କହିଛନ୍ତି ।

ଲିଙ୍ଗରାଜ ମନ୍ଦିର ଜାଗର ଯାତ୍ରା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ସେବାୟତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝିଲି। ସମସ୍ତ ଆହତ ସେବାୟତଙ୍କ ଉତ୍ତମ ଚିକିତ୍ସାକୁ ପ୍ରାଥମିକତା ଦେଇ ପଦକ୍ଷେପ ନିଆଯାଉଛି। ମହାପ୍ରଭୁଙ୍କ ନିକଟରେ ଆହତ ସେବାୟତମାନଙ୍କ ଆଶୁ ଆରୋଗ୍ୟ… pic.twitter.com/w5VgePZGLl
— Mohan Charan Majhi (@MohanMOdisha) February 26, 2025
ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, '' ଜଣେ ସେବାୟତ ମହାଦୀପ ଧରି ମନ୍ଦିର ଉପରକୁ ଯିବା ବେଳେ ତଳେ ଖସିପଡି ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପରି ଅଘଟଣ ପରେ ମହାଦୀପ ମଧ୍ୟ ଉଠିଛି । କିନ୍ତୁ କଣ ପାଇଁ ଅଘଟଣ ହେଲା, କେଉଁଠି ତୃଟି ରହିଲା ବା ଅନ୍ୟ କଣ କାରଣ ରହିଛି ତାହା ଆମେ ତର୍ଜମା କରିବୁ । ''
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ''ଗୋଟିଏ ହାତରେ ସେବାୟତ ଜଣଙ୍କ ମହାଦୀପ ଧରିଥଲେ, ଆଉ ଗୋଟିଏ ହାତରେ ମନ୍ଦିର ଉପରକୁ ଉଠୁଥିଲେ । ତାଙ୍କ ହାତ ଖସିଯିବାରୁ ସେ ତଳେ ପଡିଗଲେ । ପ୍ରଥମ 7 ଜଣ ଚଢିଯାଇଥିଲେ , ଶେଷରେ ଆହତ ସେବାୟତ ଚଢୁଥିଲେ । ହାତରେ ତେଲ ଲାଗିଥିବାରୁ ଖସିଥାଇପାରନ୍ତି । ''
ମନ୍ଦିରରେ ସେବାୟତଙ୍କ ମଧ୍ୟରେ ଉତ୍ତେଜନା:
ସେପଟେ ଲିଙ୍ଗରାଜ ମନ୍ଦିରରେ ଏପରି ଘଟଣା ସମୟରେ ଦକ୍ଷିଣ ଦ୍ଵାରରେ ଦେଖାଦେଇଥିଲା ସେବାୟତଙ୍କ ମଧ୍ୟରେ ଉତ୍ତେଜନା । ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ଓ ଠେଲାପେଲା ଦେଖିବାକୁ ମିଳିଥିଲା।
ଇଟିଭି ଭାରତ, ଭୁବନେଶ୍ବର