ଭୁବନେଶ୍ୱର: ନୂଆ ପିସିସି ସଭାପତି ପାଇ ଆକ୍ଟିଭ ମୋଡରେ ରାଜ୍ୟ କଂଗ୍ରେସ । ସେପଟେ ସଂଗଠନକୁ ସୁଦୃଢ କରିବା ପାଇଁ ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସ ରଣନୀତି ଆରମ୍ଭ କରଦେଇଛନ୍ତି । ଖୁବଶୀଘ୍ର ନିଜ ପରିଷଦ ଓ ରାଜନୈତିକ ପରାମର୍ଶଦାତା କମିଟି ଘୋଷଣା କରିବାକୁ ଯାଉଛନ୍ତି ଭକ୍ତ ଦାସ । ୮ ମାସ ପରେ ଦଳପତି ପାଇଥିବା ପ୍ରଦେଶ କଂଗ୍ରେସ ଆଗକୁ ପୌର, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ତୃଣମୂଳ ସ୍ତରରୁ ନିଜକୁ ସଶକ୍ତ କରି କ୍ରିୟାଶୀଳ କରିବାକୁ ପଣ କରିଛି ।
ଆକ୍ଟିଭ ମୋଡରେ ଭକ୍ତ ଦାସ:
ଦଳକୁ ସୁଦୃଢ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସ । ଗୋଟିଏ ପରେ ଗୋଟିଏ ନୂଆ ପୁରୁଣା ନେତାଙ୍କୁ ଭେଟୁଛନ୍ତି । ଅନେକ ନେତାଙ୍କ ଉପରୁ ନିଲମ୍ବନ ଓ ବହିଷ୍କାର ହଟାଇଛନ୍ତି । ସଂଗଠନକୁ ଯୋଡି ରଖିବାକୁ ଆରମ୍ଭରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଭକ୍ତ । ଫେବୃଆରୀ ୨୧ରେ ଦାୟିତ୍ୱ ଗ୍ରହଣ ପରେ ସେହିଦିନଠାରୁ ୨୪ ତାରିଖ ପର୍ଯ୍ୟନ୍ତ କଂଗ୍ରେସ ଭବନରେ ମାନସ ମନ୍ଥନ କରିଥିଲେ । ପ୍ରଥମ ଦିନ ଦଳର ବରିଷ୍ଠ ନେତାଙ୍କ ସହ ବୈଠକ, ପରେ ଦଳର ୧୪ଜଣ ବିଧାୟକଙ୍କ ସହ ଆଲୋଚନା କରିଥିଲେ ଉଭୟ ଭକ୍ତ ଏବଂ ରାଜ୍ୟ ପ୍ରଭାରୀ ଅଜୟ ଲଲ୍ଲୁ । ୨୩ ତାରିଖରୁ ସମସ୍ତ ସାଙ୍ଗଠନିକ ଜିଲ୍ଲାର ସଭାପତି,ନେତାମାନଙ୍କ ସହ ଆଲୋଚନା କରିବା ପରେ ଦିଲ୍ଲୀ ଫେରିଯାଇଛନ୍ତି କଂଗ୍ରେସ ରାଜ୍ୟ ପ୍ରଭାରୀ । ତେବେ ଫେବୃଆରୀ ୨୧ରେ ଦାୟିତ୍ୱ ଗ୍ରହଣ ପରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ବିଳନୀରେ ରାଜନୈତିକ ପରାମର୍ଶଦାତା କମିଟି ଗଠନ ନେଇ ଘୋଷଣା କରିଥିଲେ ପିସିସି ସଭାପତି । ଏମିତିକି ପିସିସିର ଏକ ଛୋଟ କମିଟି ହେବ ବୋଲି ଭକ୍ତଙ୍କ ଇଙ୍ଗିତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଖୁବଶୀଘ୍ର ଘୋଷଣା ହୋଇପାରେ ଭକ୍ତଙ୍କ ନୂଆ ଟିମ:
ଖୁବଶୀଘ୍ର ଘୋଷଣା ହୋଇପାରେ ଭକ୍ତଙ୍କ ନୂଆ ଟିମ । ପ୍ରଥମେ ରାଜନୈତିକ ପରାମର୍ଶଦାତା କମିଟି ଏବଂ ପରେ ପିସିସି ସଭାପତିଙ୍କ ନିଜ ଟିମ ଗଠନ ହେବ । ତେବେ କାହାକୁ ନିଜ ଟିମରେ ସାମିଲ କରିବେ ସେନେଇ ଉଠିଛି ପ୍ରଶ୍ନ । କଂଗ୍ରେସରେ ଅନେକ ସମୟରେ ଗୋଷ୍ଠୀ କନ୍ଦଳ ଦେଖାଯାଉଥିବା ବେଳେ ପିସିସି ସଭାପତି କେଉଁ ନେତାଙ୍କୁ ଅଧିକ ପ୍ରାଥମିକତା ଦେବେ ସେନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି ।
ଏନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି," ପିସିସି ସଭାପତି କମିଟି ଗଠନ କରିବେ । ରାଜ୍ୟ ସଭାପତି ଯେଉଁ ଟିମ ନେଇ କାର୍ଯ୍ୟ କରିବେ ସେମାନଙ୍କ ନାମ ସୁପାରିଶ କରିବେ । ପିସିସି ସଭାପତି ଚୟନ ସରିଯାଇଛି । ନବ ନିଯୁକ୍ତ ପିସିସି ସଭାପତିଙ୍କ ଆହ୍ଵାନରେ ଓଡ଼ିଶାରେ ଆମେ ଏକଜୁଟ ହୋଇଛୁ । ସମୂହ ଭାବରେ ଆମେ ନିଷ୍ପତ୍ତି ନେଇଛୁ, ସଂଗଠିତ ହୋଇ ରାଜରାସ୍ତାକୁ ଓହ୍ଲାଇବୁ ।"
କଂଗ୍ରେସର ନିୟମ ଅନୁଯାୟୀ ପିସିସି କମିଟି:
କଂଗ୍ରେସର ନିୟମ ଅନୁଯାୟୀ ପିସିସି ସଭାପତି ନିଜ କମିଟି ଗଠନ କରିବା ପୂର୍ବରୁ ନାଁ ସୁପାରିଶ କରନ୍ତି । ଅଖିଳ ଭାରତୀୟ କଂଗ୍ରେସ କମିଟିର ଚୂଡାନ୍ତ ମୋହର ପରେ ତାହା କାର୍ଯ୍ୟକାରୀ ହୁଏ । କଂଗ୍ରେସ ସମ୍ବିଧାନ ଅନୁଯାୟୀ ପ୍ରଦେଶ କଂଗ୍ରେସ କମିଟି ହେଉଛି ବ୍ୟାକବୋନ । ଏହି କମିଟିରେ କିଏ ରହିବେ କାହାକୁ କେଉଁ ଦାୟିତ୍ୱ ଦିଆଯିବ ସମସ୍ତ ଦାୟିତ୍ୱ ଏବଂ ଅଧିକାର ପିସିସି ସଭାପତିଙ୍କର । ନିୟମ ଅନୁଯାୟୀ ପିସିସି ସଭାପତିଙ୍କ କମିଟିରେ ଜଣେ କୋଷାଧ୍ୟକ୍ଷ, ୫ ଜଣ ଉପସଭାପତି,୭ ଜଣ ସାଧାରଣ ସମ୍ପାଦକ ଓ ପିସିସି ସଭାପତିଙ୍କ ଏକାଧିକ ସମ୍ପାଦକ ରହିପାରିବେ ।
ପିସିସି ସଭାପତିଙ୍କ ଅଧିନରେ ଏକ କାର୍ଯ୍ୟକାରୀ କମିଟି (Executive Committee) ରହିବ । ଯେଉଁଥିରେ ୪୧ ଜଣ ସଦସ୍ୟ ରହିପାରିବେ(ପିସିସିର ମୂଳ କମିଟିର ୧୩ ଜଣଙ୍କୁ ମିଶାଇ) । ସେହିପରି ପ୍ରଦେଶ କଂଗ୍ରେସର ଛାମୁଆ ସଂଗଠନ ଗଠନ କରାଯାଏ ।ସେଥିରେ ମହିଳା କଂଗ୍ରେସ ଟିମ, ଛାତ୍ର କଂଗ୍ରେସ ଟିମ, ଯୁବ କଂଗ୍ରେସ ଟିମ ଏବଂ ସେବା ଟିମ୍ ରହିଥାନ୍ତି । ସେପଟେ ବିଭିନ୍ନ ବିଭାଗ ବଣ୍ଟନ କରନ୍ତି ନୂଆ ମୁଖିଆ। ଯେପରିକି ଅନୁସୂଚିତ ଜାତି, ଜନଜାତି ଓ ଦଳିତ, ସଂଖ୍ୟାଲଘୁ, କିଷାନ ଓ ମିଡିଆ କମିଟି ।
ଭକ୍ତ ଦାୟିତ୍ୱ ନେବା ପରେ ଲବି ଆରମ୍ଭ ହୋଇଯାଇଥିବା ବେଳେ କିଏ ସଭାପତିଙ୍କ ଟିମରେ ସାମିଲ ହେବ ସେନେଇ ଚର୍ଚ୍ଚା ଜୋର ରହିଛି । କମିଟି ଗଠନ ପରେ କଂଗ୍ରେସ ନେତାଙ୍କ ମଧ୍ୟରେ ସମନ୍ବୟ ରହିବ ନା ଗୋଷ୍ଠୀ କନ୍ଦଳ ଦେଖାଯିବ ତାହା କମିଟି ଗଠନ ପରେ ସ୍ପଷ୍ଟ ହେବ ।
ଇଟିଭି ଭାରତ, ଭୁବନେଶ୍ୱର