ଭୁବନେଶ୍ବର: ଡିସେମ୍ବର ମାସ ଅଧା ହେଲାଣି । ପାଗ ବି ଶୁଖିଲା, ଶୀତ ଲହରୀରେ ଥରୁଛି ରାଜ୍ୟ । ଏହାରି ଭିତରେ ଥଣ୍ଡା ମାହୋଲକୁ ସରଗରମ ପାଇଁ ରାଜ୍ୟକୁ ପୁଣି ଫେରିଛି ଓଡ଼ିଶା-ଛତିଶଗଡ ମହାନଦୀ ଜଳ ବିବାଦ ପ୍ରସଙ୍ଗ । କାରଣ ମହାନଦୀ ଟ୍ରିବ୍ୟୁନାଲକୁ ମିଳିଛି ନୂଆ ଅଧ୍ୟକ୍ଷ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀ ହୋଇଛନ୍ତି ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ । ନୂଆ ଅଧ୍ୟକ୍ଷ ଆସିବା ପରେ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ଏହି ବିବାଦରେ ପଡିବ କି ପୂର୍ଣ୍ଣଚ୍ଛେଦ ? ସମାଧାନ ହେବ କି ମହାନଦୀ ଜଳ ବିବାଦ । କଣ କହୁଛି ରାଜନୈତିକ ପାଣିପାଗ ।
ଓଡ଼ିଶାର ଲାଇଫଲାଇନ ମହାନଦୀ:
କୃଷି ପ୍ରଧାନ ରାଜ୍ୟ ଓଡ଼ିଶାର ଲାଇଫଲାଇନ ହେଉଛି ମହାନଦୀ । ଓଡିଶାର ଅଧାରୁ ଅଧିକ ଜିଲ୍ଲା ମହାନଦୀ ଉପରେ ନିର୍ଭରଶୀଳ । ବିଜୁଳି ବଳକା ରାଜ୍ୟ ଓଡିଶା ଏଥିପାଇଁ ମହାନଦୀ ଉପରେ ନିର୍ଭର କରେ । ସମ୍ବଲପୁର, କଟକ, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହେଉଛି ମହାନଦୀ । 15 ଜିଲ୍ଲାର ଲୋକଙ୍କୁ ଚାଷ, ଜଳ ସେଚନ, ପାନୀୟ ଜଳ ଯୋଗାଣ, ଜୀବନ ଜୀବିକା, ମତ୍ସ୍ୟ ଚାଷ ସହ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଲାଗି ମହାନଦୀ ଉପରେ ନିର୍ଭର କରିବାକୁ ପଡେ । ଏଥିପାଇଁ ମହାନଦୀକୁ ଓଡ଼ିଶାର ଜୀବନରେଖା କୁହାଯାଏ ।
ମହାନଦୀ ଜଳ ବିବାଦ କଣ ?
ମହାନଦୀ କେବଳ ଏକ ନଦୀ ନୁହେଁ ଓଡ଼ିଶାବାସୀଙ୍କ ଜୀବନର ଧାରା କହିଲେ ଅତ୍ୟୁକ୍ତି ହେବ ନାହିଁ । ମହାନଦୀ ଉପରେ ରାଜ୍ୟର ଅଧିକାଂଶ ଜିଲ୍ଲା ନିର୍ଭରଶୀଳ ଥିବା ବେଳେ ଛତିଶଗଡରେ ବିଜେପି ନେତୃତ୍ବାଧୀନ ତତ୍କାଳ ରମଣ ସରକାର ମହାନଦୀର ଉପର ମୁଣ୍ଡରେ ଏକାଧିକ ବ୍ୟାରେଜ ଓ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ କରିଛନ୍ତି । ଫଳରେ ମହାନଦୀର ଜଳ ପ୍ରବାହ ପ୍ରଭାବିତ ହେବାରେ ଲାଗିଲା । ଗତ 2016ରେ ଦୁଇ ପଡୋଶୀ ରାଜ୍ୟ ମଧ୍ୟରେ ଏହି ଜଳ ବିବାଦ ସାମ୍ନାକୁ ଆସିଥିଲା । ଏହାପରେ 2017ରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନେଇ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ତଥାପି ବାହାରି ପାରି ନଥିଲା ସମାଧାନର ବାଟ ।
2018ରେ ଗଠନ ହୋଇଥିଲା ଟ୍ରିବ୍ୟୁନାଲ:
ଛତିଶଗଡ ସରକାର ମହାନଦୀ ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ଫଳରେ ହୀରାକୁଦର ଜଳସ୍ତର ମଧ୍ୟ ସ୍ୱାଭାବିକ ଠାରୁ କମ ରହିବାରେ ଲାଗିଛି । ଏହା ବିରୋଧରେ ତତ୍କାଳୀନ ବିଜେଡି ସରକାର କେନ୍ଦ୍ର ସରକାର ଓ ଆଇନ ଆଶ୍ରୟ ନେଇଥିଲେ । ଛତିଶଗଡ଼ ସହ ଓଡିଶାର ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର 2018 ମାର୍ଚ୍ଚ 12 ତାରିଖରେ ଜଷ୍ଟିସ ଖାନୱାଲିକରଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠନ କରିଥିଲେ । ଟ୍ରିବ୍ୟୁନାଲର ଅନ୍ୟ ଦୁଇ ସଦସ୍ୟ ଭାବେ ଦୁଇ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରବିରଞ୍ଜନ ଓ ଜଷ୍ଟିସ ଇନ୍ଦରମିତ କୌର କୋଚର କାର୍ଯ୍ୟ କରୁଥିଲେ । ଶେଷଥର ପାଇଁ ଟ୍ରିବ୍ୟୁନାଲରେ ଶୁଣାଣି 2024 ଫେବୃୟାରୀ 22 ତାରିଖରେ ହୋଇଥିଲା ।
8 ମାସ ପରେ ନିଯୁକ୍ତ ହେଲେ ନୂଆ ଅଧ୍ୟକ୍ଷ:
ସାଧାରଣ ନିର୍ବାଚନ ପାଇଁ ନୂଆ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହୋଇଥିଲା । 8 ମାସ ପଦ ଖାଲି ପଡ଼ିବା ପରେ କେନ୍ଦ୍ରରେ ନୂତନ ସରକାର ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦ ପାଇଁ ଜଷ୍ଟିସ ବେଲା ଏମ. ତ୍ରିବେଦୀଙ୍କ ନାମକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ । ବିଚାରପତି ବେଲା ଏମ ତ୍ରିବେଦୀ ସୁପ୍ରିମକୋର୍ଟର ବିଚାରପତି ଭାବେ 2021 ଅଗଷ୍ଟ 31ରୁ ଅବସ୍ଥାପିତ ଅଛନ୍ତି । ଟ୍ରିବ୍ୟୁନାଲର ଅନ୍ୟ ଦୁଇ ସଦସ୍ୟ ଦୁଇ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରବିରଞ୍ଜନ ଓ ଜଷ୍ଟିସ ଇନ୍ଦରମିତ କୌର କୋଚର ପୂର୍ବବତ କାର୍ଯ୍ୟ କରିବେ । ମହାନଦୀ ଟ୍ରିବ୍ୟୁନାଲର ଅବଧିକୁ କେନ୍ଦ୍ର ସରକାର ମଧ୍ୟ 2026 ଏପ୍ରିଲ 13 ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇଛି ।
ଏକାଧିକ ବୈଠକ ବାହାରି ପାରୁନି ସମାଧାନ ବାଟ:
ଉଭୟ ରାଜ୍ୟର ଜଳ ବିବାଦ ସମାଧାର କରିବା ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଛି ଏକାଧିକ ବାର ବୈଠକ ବି ହୋଇଛି । ହେଲେ ବାହାରି ପାରୁନି ସମାଧାନର ବାଟ । 2024 ଫେବୃୟାରୀ 22 ତାରିଖରେ ଟ୍ରିବ୍ୟୁନାଲର ଶେଷ ଶୁଣାଣି ହୋଇଥିବା ବେଳେ ଏବେ ଶୁଖିବାକୁ ଲାଗିଲାଣି ମହାନଦୀ । ପରେ ଟ୍ରିବ୍ୟୁନାଲର ବୈଠକ ପରେ ମାର୍ଚ୍ଚ 11 ତାରିଖରେ ପ୍ରସ୍ତାବିତ ଶୁଣାଣି ହୋଇପାରିନଥିଲା । ଜଷ୍ଟିସ ଖାନୱିଲକର ଭାରତର ଲୋକପାଳ ଭାବେ ନିଯୁକ୍ତି ପାଇବା ପରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦରୁ ମାର୍ଚ୍ଚ 12 ତାରିଖରେ ଇସ୍ତଫା ଦେଇଥିଲେ । ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶାକୁ କିଛି ଆଶ୍ବସ୍ତି ମିଳିନାହିଁ । ଟ୍ରିବ୍ୟୁନାଲଙ୍କ ପକ୍ଷରୁ କୌଣସି ରିପୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇନାହିଁ । 32 ଥର ମାମଲାର ଶୁଣାଣି କରିବା ସହ ଟ୍ରିବ୍ୟୁନାଲଙ୍କ ଓଡ଼ିଶା ଓ ଛତିଶଗଡ଼ ମହାନଦୀ ଅବବାହିକାର କ୍ଷେତ୍ର ପରିଦର୍ଶନ କରିବା ପରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା ।
ହ୍ରାସ ପାଉଛି ହୀରାକୁଦ ସ୍ତର:
ବ୍ୟାରେଜ ନିର୍ମାଣ ଫଳରେ ହୀରାକୁଦର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ବିଗତ 3 ବର୍ଷରେ ମହାନଦୀର ହୀରାକୁଦରେ ପ୍ରବାହିତ ଜଳର ପରିମାଣ 2021/22ରେ 19.8 ନିୟୁତ ଏକର ଫୁଟ, 2022/23ରେ 27.7 ନିୟୁତ ଏକର ଫୁଟ ଓ 2023/24ରେ 25.4 ନିୟୁତ ଏକର ଫୁଟ ରହିଥିଲା । ଗତବର୍ଷ ହୀରାକୁଦର ଜଳସ୍ତର ଆଜିର ଦିନରେ 628.37 ଫୁଟ ଥିଲା । ଆଜି ପୂର୍ବାହ୍ନ 9ଟା ସୁଦ୍ଧା ହୀରାକୁଦର ଜଳସ୍ତର 626.73 ଫୁଟ ରହିଛି ।
ମହାନଦୀର ଶେଷ ମୁଣ୍ଡରେ ଥିବା କେନାଲରେ ନାହିଁ ପାଣି:
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, "ମହାନଦୀ ଜଳ ବିବାଦ ସମାଧାନ ଲାଗି 2018ରୁ ଟ୍ରିବ୍ୟୁନାଲର ଗଠନ ହୋଇଛି । ଟ୍ରିବ୍ୟୁନାଲର କୌଣସି ଅନ୍ତରିଣ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେଇନାହାନ୍ତି । ନୂଆ ଅଧ୍ୟକ୍ଷ ଦାୟିତ୍ୱ ନେଇ ସମୟ ନେବେ । କିଛି ନିଷ୍ପତ୍ତି ଆସିବ ନାହିଁ । ତତ୍କାଳୀନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂ ମହାନଦୀର ଉପର ମୁଣ୍ଡରେ କରିଥିବା ବ୍ୟାରେଜ ଭାଙ୍ଗିବ ନାହିଁ । ଏହାକୁ ଭାଙ୍ଗିଲେ ମହାନଦୀର ଜଳ ସମସ୍ୟା ଦୂର ହେବ । କ୍ୟାଚମେଣ୍ଟ ଅଞ୍ଚଳରେ ବର୍ଷା କମ ହେଉଛି । ମହାନଦୀକୁ ଜଳ ଇନ ଫ୍ଲୋ ନାହିଁ । ପ୍ରତିବର୍ଷ ମହାନଦୀକୁ ଜଳ ଇନ ଫ୍ଲୋ କମୁଛି । ହୀରାକୁଦକୁ ଆସୁଥିବା ଜଳକୁ ଓଡ଼ିଶାର ଶିଳ୍ପ କ୍ଷେତ୍ର ବ୍ୟବହାର ହେଉଛି । ବରଗଡ଼ କେନାଲରେ କିଛି ଜଳ ଜଳସେଚନ ପାଇଁ ଯାଉଛି । ମହାନଦୀର ଶେଷ ମୁଣ୍ଡରେ ଥିବା କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ କେନାଲରେ ପାଣି ନାହିଁ ।
ଜଳ ଆୟୋଗ ଗଠନ କରନ୍ତୁ ସରକାର:
ସେ ଆହୁରି ମଧ୍ୟ କହିଛନ୍ତି, "ମହାନଦୀ ସିଷ୍ଟମରେ ଜଳ ସମସ୍ୟା ବାବଦରେ ସରକାର ଗମ୍ଭୀର ଭାବେ ଚିନ୍ତା କରିବା ଦରକାର । ଏହା ଏକ ରାଜନୈତିକ ସମସ୍ୟା ନୁହେଁ । ଆଗାମୀ ଦିନରେ ଏହି ଜଳ ସମସ୍ୟା ଆହୁରି ଭୟଙ୍କର ହେବ । ପାଣି ସମସ୍ୟା ବିବାଦରେ ସରକାର ଗୁରୁତ୍ୱ ଦେବା ଦରକାର । ଓଡିଶା ସରକାର ଏକ ଜଳ ଆୟୋଗ ଗଠନ କରିବା ଦରକାର । ପରିବେଶବିତ ଓ ବିଶେଷଜ୍ଞ ଟିମ ଗଠନ କରି କରିବା କଥା । ଓଡିଶାର ମିଠା ଜଳ ସଂରକ୍ଷଣ ସହ ଅଧିକ ବ୍ୟବହାର କେମିତି ହେବ, ଯୋଜନା କରାଯିବା ନିହାତି ଦରକାର । ଏହି ସବୁ କାର୍ଯ୍ୟକୁ ବିଳମ୍ବ କରିବା ଲାଗି ଟ୍ରିବ୍ୟୁନାଲ ଗଠନ ହୋଇଛି ।"
ଆସନ୍ତା ମାର୍ଚ୍ଚରେ ଓଡ଼ିଶାରେ ହେବ ଉତ୍କଟ ଜଳ ସମସ୍ୟା:
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, "ଡିସେମ୍ବର ମାସରେ ରାଜ୍ୟର ସମସ୍ତ ନଦୀ ଶୁଖିଲା ପଡିଛି । ହୀରାକୁଦରେ ଆଜିର ଦିନରେ ପ୍ରାୟ 626 ଫୁଟ ଜଳ ଅଛି । ଗତବର୍ଷ ଏହି ସମୟରେ 628 ଫୁଟ ଜଳ ରହିଥିଲା । ଉଦ୍ବେଗଜନକ ଭାବେ ହୀରାକୁଦର ଜଳସ୍ତର ଖସୁଛି । ମାର୍ଚ୍ଚ ମାସ ବେଳକୁ ଅବସ୍ଥା ଭୟଙ୍କର ହେବ । ଚାଷୀଙ୍କୁ ରବି ପାଣି ଯୋଗାଇବା ମଧ୍ୟ କଷ୍ଟ ହୋଇପଡିବ । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କର କୌଣସି ଚିନ୍ତା ଥିଲା ପରି ଜଣାପଡୁନାହିଁ । ଉପର ମୁଣ୍ଡରୁ ପାଣି ଆସୁନାହିଁ । ପୂର୍ବରୁ ଏହି ସାଧାରଣ ସମୟରେ ଉପର ମୁଣ୍ଡରୁ ପ୍ରତିସେକେଣ୍ଡରେ 10 ହଜାରରୁ 20 ହଜାର କ୍ୟୁସେକ ଜଳ ମଧ୍ୟ ହୀରାକୁଦକୁ ଆସେ । ମାତ୍ର ବର୍ତ୍ତମାନ ଏହା ହାରାହାରି 3200 କ୍ୟୁସେକ ଆସୁଛି ।"
ଡିସେମ୍ବରରେ 2 ଫୁଟ କମିଗଲାଣି ହୀରାକୁଦର ଜଳସ୍ତର:
ବିଜୟ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ଯଦି 2 ଫୁଟ ଜଳ କମିଗଲାଣି । ଅନୁମାନ କରନ୍ତୁ ଆଗକୁ କେତେ ଜଳ ସ୍ତର କମିବ । ଚଳିତ ଥର ଜଳ ଶଙ୍କଟ ଭୟଙ୍କର ହେବ । ଜଳସମ୍ପଦ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା କୌଣସି ବୈଠକ କରି ନାହାଁନ୍ତି । ମହାନଦୀ ଜଳ ବିବାଦ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ନୂଆ ସରକାର ପ୍ରାରମ୍ଭିକ ଆଲୋଚନା କରିନାହାନ୍ତି । ଯଦି ପ୍ରାରମ୍ଭିକ ଆଲୋଚନା ହୋଇଥାନ୍ତା, ତେବେ ଓଡ଼ିଶା ଚଳିତ ବର୍ଷ କିଛି ପାଣି ଉପର ମୁଣ୍ଡରୁ ପାଇଥାନ୍ତୁ । ରାଜ୍ୟ ସରକାର ଏ ପ୍ରସଙ୍ଗରେ ତୁରନ୍ତ ଆଲୋଚନା ଆରମ୍ଭ କରି ମହାନଦୀକୁ ପାଣି ଆଣିବା ଲାଗି ବ୍ୟବସ୍ଥା କରନ୍ତୁ । ନହେଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ।
ଏହା ମଧ୍ୟ ପଢନ୍ତୁ: ଶୁଖୁଛି ମହାନଦୀ, କମୁଛି ହୀରାକୁଦ ଜଳସ୍ତର: ସମାଧାନ କରିପାରିବ ତ ମୋହନ ସରକାର ? - Mahanadi water dispute ଓଡ଼ିଶା-ଛତିଶଗଡ ଜଳ ବିବାଦକୁ ନେଇ ବଡ ବୟାନ ଦେଲେ ରାଜସ୍ବ ମନ୍ତ୍ରୀ - Mahanadi water dispute |
ଆଲୋଚନାରେ ହୋଇପାରିବ ସମସ୍ୟାର ସମାଧାନ:
ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି, "9 ମାସ ପରେ ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦ ପୂରଣ ହୋଇଛି । ଗତ 9 ମାସ ହେଲା କୌଣସି ଶୁଣାଣୀ ହୋଇନାହିଁ । ଟ୍ରିବ୍ୟୁନାଲ ନିଜର ରାୟ ଦେଇପାରିବ ନା ନାହିଁ ସନ୍ଦେହ ସୃଷ୍ଟି ହୋଇଛି । ଓଡିଶା ଅନୁରୋଧକୁ ନୂଆ ଅଧ୍ୟକ୍ଷ ବିଚାରକୁ ନେବେ । ଅଣ ମୌସୁମୀ ସମୟରେ ମହାନଦୀର ଜଳ ପ୍ରବାହକୁ ସୁନିଶ୍ଚିତ କରେଇବେ । ମହାନଦୀର ଉପର ମୁଣ୍ଡରେ ଥିବା ବ୍ୟାରେଜର ଗେଟ ବନ୍ଦ ରହିଛି । ବର୍ତ୍ତମାନ ପରିସ୍ଥିତିରେ ନୂଆ ଅଧ୍ୟକ୍ଷ ଅନ୍ତରୀଣ ରାୟ ଦିଅନ୍ତୁ । ଆପୋଷ ଆଲୋଚନା ମାଧ୍ୟମରେ ଏହି ଜଳ ବିବାଦ ସମାଧାନ ହେବା ଦରକାର । ଟ୍ରିପଲ ଇଞ୍ଜିନ ସରକାର ଆଲୋଚନାରେ ସମସ୍ୟା ସମାଧାନ କରିପାରିବେ ବୋଲି ଆଶା ରଖିବୁ ।"
ଶୁଖିଲା ପଡିଛି ମହାନଦୀ ଅବବାହିକା:
ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ଅତୀତରେ ଓଡ଼ିଶା-ଛତିଶଗଡ଼ ସୀମାବତ୍ତୀ ଅଞ୍ଚଳ ଜଳମଗ୍ନ ଥିବା ବେଳେ ଏବେ ଶୁଖିଲା ପଡିଛି । ନଦୀ ନୁହେଁ ମରୂଭୂମି ପାଲଟିଛି । ଛତିଶଗଡ଼ ସରକାର ଏକାଧିକ ବ୍ୟାରେଜ ଓ ଡ୍ୟାମ ତିଆରି କରିବା ପରେ ଏଭଳି ଅବସ୍ଥା । ଆଗକୁ ଏକ ଭୟଙ୍କର ସ୍ଥିତି ଉତ୍ପନ୍ନ ହେବାକୁ ଯାଉଛି । ହୀରାକୁଦ ଜଳ ଭଣ୍ଡାର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବ । ଆମେ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସିଛୁ । ଅନେକ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ହେଲେ କୌଣସି ସମାଧାନ ହୋଇପାରି ନାହିଁ ।"
ଓଡ଼ିଶାରେ ମହାନଦୀକୁ ବଞ୍ଚେଇବା ଲାଗି ବ୍ୟବସ୍ଥା କରୁ ଟ୍ରିପଲ ଇଞ୍ଜିନ ସରକାର:
ସେ ଆହୁରି ମଧ୍ୟ କହିଛନ୍ତି, ଓଡିଶା ପ୍ରତି ଏକ୍ଷେତ୍ରରେ ଅନ୍ୟାୟ ହୋଇଥିବା ଓଡିଶାବାସୀ ଅନୁଭବ କରୁଛନ୍ତି । ସେତେବେଳେ ଭିନ୍ନ ଦଳର ସରକାର ଥିଲେ । ଘଟଣା ଚକ୍ରରେ ଆଜି କେନ୍ଦ୍ର-ଓଡ଼ିଶା-ଛତିଶଗଡ଼ରେ ବିଜେପି ସରକାର ରହିଛି । ଟ୍ରିପଲ ଇଞ୍ଜିନ ସରକାର ଏହି ସମସ୍ୟାକୁ ସମାଧାନ କରିବେ ବୋଲି ଆଶା କରିଥିଲୁ । କିନ୍ତୁ ଓଡିଶା ବାସୀ ନିରାଶ ହୋଇଛନ୍ତି । ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଏହାକୁ ବିଳମ୍ବ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ନୂଆ ଅଧ୍ୟକ୍ଷ କାର୍ଯ୍ୟ ଆରମ୍ଭ କରିବା ବେଳକୁ ଏହି ପ୍ରକ୍ରିୟା ଆହୁରି ବିଳମ୍ବ ହେବ । ସମସ୍ୟା ସମାଧାନ ହେଲା ବେଳକୁ ମହାନଦୀ ଓଡିଶାରେ ମରୁଭୂମିରେ ପରିଣତ ହୋଇଯାଇଥିବ । ହୀରାକୁଦ ଅଚଳ ହୋଇପଡିଥିବ । ଏହାର ଦାରୁଣ ପରିସ୍ଥିତି ଓଡିଶା ବାସୀ ଭୋଗ କରୁଥିବେ । ଟ୍ରିପଲ ଇଞ୍ଜିନ ସରକାର ବସନ୍ତୁ । ଓଡିଶାରେ ମହାନଦୀକୁ ବଞ୍ଚେଇବା ଲାଗି ବ୍ୟବସ୍ଥା କରାଯାଉ ।"
ଓଡ଼ିଶାର ସ୍ୱାର୍ଥ ପାଇଁ ଶେଷ ବିନ୍ଦୁ ପର୍ଯ୍ୟନ୍ତ ସଂଗ୍ରାମ କରିବ ମୋହନ ସରକାର:
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, "ଯଦି ମହାନଦୀ ପ୍ରସଙ୍ଗ ଆଜି ଅସୁବିଧା ସ୍ଥିତିକୁ ଯାଇଛି, ତା'ର ଏକମାତ୍ର କାରଣ ହେଉଛି ନବୀନ ପଟ୍ଟନାୟକ ନିଜେ । ମଧସ୍ଥତାକୁ ମନା କରି ନାଟକୀୟ ଢ଼ଙ୍ଗରେ ମାଠିଆ ବାଡ଼େଇଲେ । ରାଜନୀତିରେ ଏମିତି କରାଯାଏନାହିଁ । ରାଜ୍ୟର ସ୍ୱାର୍ଥ କଥା ସେମାନେ ସେବେ ଭୁଲି ଯାଇଥିଲେ । ହନୁ ମଲା ବେଳେ ସତ କହିଲା ଭଳି ଆଜି ବିଜେଡିକୁ ସବୁ ମନେ ପଡୁଛି । ଅତୀତକୁ ସମାଲୋଚନା କରି କଥାକୁ ଏଡାଇ ଯିବାର ସରକାର ଆମର ନୁହେଁ । ଆମେ ସ୍ପଷ୍ଟ ଭାବେ କହୁଛୁ ଓଡ଼ିଶାର ସ୍ୱାର୍ଥ ପାଇଁ ଶେଷ ବିନ୍ଦୁ ପର୍ଯ୍ୟନ୍ତ ଯାହା ଯାହା କରିବାର ଥିବ ଆମ ସରକାର ତାହା କରିବେ । ସେଥିପାଇଁ କେନ୍ଦ୍ର ସରକାରଙ୍କ ସବୁ ପ୍ରକାର ସହଯୋଗ ବି ଅଛି ।’’
ଅତୀତର ପୁନରାବୃତ୍ତି ଏ ସରକାରରେ ହେବନି:
ସେ ଆହୁରି କହିଛନ୍ତି, ‘ଅତୀତରେ ଯେଉଁ ଲଢେଇ ଗୁଡ଼ିକ ଲଢ଼ି ବିଜେଡି ସରକାର ହାରିଛନ୍ତି ସେ ବଂଶଧାରା ଟ୍ରିବୁନାଲ ହେଉ କି ଯାହା ବି ତାହା କେବଳ ଏମାନଙ୍କ ଅବହେଳା କାରଣରୁ ହାରିଛନ୍ତି । ଏଥର କିନ୍ତୁ ମହାନଦୀ ଟ୍ରିବୁନାଲରେ ସେମିତି କିଛି ହେବାକୁ ଦିଆଯିବନାହିଁ । ଅନ୍ତତଃ ଅତୀତର ପୁନରାବୃତ୍ତି ଏ ସରକାରରେ ହେବ ନାହିଁ । ତେଣୁ ଅଯଥା ସମାଲୋଚନା କରି ରାଜନୈତିକ ଦ୍ଵନ୍ଦ୍ବ ସୃଷ୍ଟି ନ କରୁ ବିଜେଡି ।’
ଇଟିଭି ଭାରତ, ଭୁବନେଶ୍ବର