ଭୁବନେଶ୍ବର: ବିଜେଡିରେ ଯୋଗ ଦେଇଛନ୍ତି ସାଲେପୁର କଂଗ୍ରେସର ଯୁବ ନେତା ବିଶ୍ଵରଞ୍ଜନ ଖଟେଇ । ସେହିପରି ଅଭିନେତ୍ରୀ ଅଭିପ୍ସା ଭଞ୍ଜ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଶ୍ଵ ରଞ୍ଜନ ଖଟେଇ ଓ ଅଭିପ୍ସା ଭଞ୍ଜ ବିଜେଡିରେ ମିଶିଛନ୍ତି । କଂଗ୍ରେସରୁ ଇସ୍ତଫା ଦେଇ ଆଜି ବିଜେଡିରେ ମିଶିଛନ୍ତି ବିଶ୍ଵ । ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏବଂ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ଉତ୍ତରୀୟ ଦେଇ ବିଶ୍ଵ, ଅଭିପ୍ସା ଏବଂ ତାଙ୍କ ସମର୍ଥକଙ୍କୁ ବିଜେଡିକୁ ସ୍ବାଗତ କରିଛନ୍ତି ।
କଟକ ଜିଲ୍ଲା ଅନ୍ତର୍ଗତ ସାଲେପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ଯୁବ ନେତା ବିଶ୍ବରଞ୍ଜନ ଖଟେଇଙ୍କ ସମେତ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ଆୟୋଜିତ ହୋଇଛି ଏହି ମିଶ୍ରଣ ପର୍ବ । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଶ୍ବ ବିଜେଡିରେ ଯୋଗ ଦେଇଛନ୍ତି । ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ସାଲେପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୁତ ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ସେହିପରି ଅଭିନେତ୍ରୀ ଅଭିପ୍ସା ଭଞ୍ଜ ଓଡ଼ିଆ ଟେଲି ଓ ସିନେ ଜଗତର ଜଣେ ଜଣାଶୁଣା ନାଁ । ସେ ଅନେକ ଟିଭି ସିରିଏଲରେ ଅଭିନୟ କରୁଛନ୍ତି । ଘରେ ଘରେ ଅଭିପ୍ସା ପରିଚିତ । ବିଜେଡି ତାଙ୍କୁ ଦଳରେ ସ୍ବାଗତ କରିଛି ।
ଏହି ମିଶ୍ରଣ ପର୍ବରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କହିଛନ୍ତି, "ବିଶ୍ବ ସାଲେପୁରରେ କଂଗ୍ରେସର ମଙ୍ଗ ଧରିଥିଲେ । ଦୀର୍ଘ ଦିନ ହେଲା ସଂଗଠନ କାର୍ଯ୍ୟରେ ସେ ନିୟୋଜିତ ହୋଇଥିଲେ । ତାଙ୍କ ଯୋଗଦାନ ବିଜେଡିକୁ ଫାଇଦା ହେବ ।" ବିଜେଡିରେ ସାମିଲ ହେବା ପରେ ବିଶ୍ବରଞ୍ଜନ ଖଟେଇ କହିଛନ୍ତି, "ଦଳରେ ଦୀର୍ଘ ବର୍ଷ କାମ କରିବା ପରେ ଅଣଦେଖାର ସମ୍ମୁଖୀନ ହେଲି । ଦଳ ଭରସା କରିବା ବଦଳରେ ଆଉ ଜଣଙ୍କୁ ସେଠାରେ ଟିକେଟ ଦେଲା । ତେଣୁ ଦଳ ଛାଡ଼ିବା ପାଇଁ ମନସ୍ଥ କଲି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଆମେ ଅନୁପ୍ରାଣିତ ହୋଇଛୁ । ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛୁ । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ବ ଦେବେ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହିତ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ସାଂଗଠନିକ ସମ୍ପାଦକଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।"
ଏହି ମିଶ୍ରଣ ପର୍ବରେ ଓଡ଼ିଶା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟମ୍ବଦା ସ୍ବାଇଁ, ଟାଙ୍ଗୀ-ଚୌଦ୍ବାର ସମବାୟ ସମିତିର ସଭାପତି ବିଜୟ କୁମାର ମହାପାତ୍ର, ବୈଜୟନ୍ତୀ ମହାପାତ୍ର, ନନ୍ଦ କିଶୋର ସ୍ବାଇଁ, ଅନ୍ନପୂର୍ଣ୍ଣା ଖୁଣ୍ଟିଆ, ସୁଶାନ୍ତ ଖୁଣ୍ଟିଆ ପ୍ରମୁଖ ଆଜି ବିଜେଡିରେ ସାମିଲ ହୋଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର