ନ୍ୟୁୟର୍କ: "ପାକିସ୍ତାନ ଏକ ଅସଫଳ ଦେଶ, ଯିଏ ଅନ୍ତର୍ଜାତୀୟ ଦାନରେ ବଞ୍ଚିଛି, ଆତଙ୍କବାଦୀ ଦ୍ୱାରା ପ୍ରଚାରିତ ମିଥ୍ୟା ତଥ୍ୟ ପ୍ରସାରଣ କରୁଛି ।" ବୁଧବାର ଜେନେଭାରେ ଅନୁଷ୍ଠିତ ମିଳିତ ଜାତିସଂଘ ମାନବାଧିକାର ପରିଷଦର ୫୮ତମ ଉଚ୍ଚସ୍ତରୀୟ ବୈଠକରେ କାଶ୍ମୀର ମୁଦ୍ଦାରେ ପାକିସ୍ତାନ ଉପରେ ଜୋରଦାର ବର୍ଷିଛି ଭାରତ ।
'ପାକିସ୍ତାନ ଏକ ଅସଫଳ ଦେଶ, ଯିଏ ଅନ୍ୟ ଦେଶର ଦାନରେ ବଞ୍ଚିଛି'
ମିଳିତ ଜାତିସଂଘରେ ୫୮ତମ ମାନବାଧିକାର ପରିଷଦ ବୈଠକରେ ଭାରତର କୁଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ଭାରତ ପକ୍ଷରୁ ପାକିସ୍ତାନକୁ ଜୋରଦାର ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ପାକିସ୍ତାନ ଏକ ଅସଫଳ ଦେଶ, ଯିଏ ଅନ୍ୟ ଦେଶର ଦାନ ଉପରେ ବଞ୍ଚିଛି ।" ଏଭଳି ଦେଶ ଭାରତକୁ ଉପଦେଶ ନଦେବା ଉଚିତ୍ । ଜମ୍ମୁ- କାଶ୍ମୀର ଓ ଲଦାଖ ପ୍ରସଙ୍ଗରେ ପାକିସ୍ତାନ ବାରମ୍ବାର ଭାରତ ଉପରେ ଅଙ୍ଗୁଳି ଉଠାଉଥିବା ବେଳେ ଏହାର କଡା ଜବାବ ରଖିଛି ଭାରତ ।
ଜମ୍ମୁ-କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଂଶ:
କୁଟନୀତିଜ୍ଞ କ୍ଷିତିଜ ତ୍ୟାଗୀ କହିଛନ୍ତି," ଭାରତ, ପାକିସ୍ତାନର ନିରାଧାର ଓ ଦୁର୍ଭାଗ୍ୟପୂର୍ଣ୍ଣ ଅଭିଯୋଗ ଉପରେ ନିଜର ପ୍ରତିକ୍ରିୟା ରଖୁଛି । ପାକିସ୍ତାନର ତଥାକଥିତ ନେତା ଓ ପ୍ରତିନିଧିମାନେ ନିଜର ସାମରିକ ଆତଙ୍କବାଦୀ ସଂଗଠନ ଦ୍ୱାରା ପ୍ରଚାରିତ ମିଥ୍ୟା ତଥ୍ୟକୁ ପ୍ରସାର କରିବାରେ ଲାଗିଛନ୍ତି । ଯାହା ଅତ୍ୟନ୍ତ ଦୁଃଖଦାୟକ ।
"ଜମ୍ମୁ-କାଶ୍ମୀର ଓ ଲଦାଖ ସର୍ବଦା ଭାରତର ଅଭିନ୍ନ ଓ ଅବିଭାଜ୍ୟ ଅଙ୍ଗ ରହିବ । ଗତ କିଛି ବର୍ଷ ମଧ୍ୟରେ ଜମ୍ମୁ-କାଶ୍ମୀରରେ ହୋଇଥିବା ଅଭୂତପୂର୍ବ ରାଜନୀତିକ, ସାମାଜିକ ଓ ଆର୍ଥିକ ପ୍ରଗତି ନିଜେ ହିଁ ଏହିସବୁ ବୟାନ କରୁଛି । ଏହି ସଫଳତାଗୁଡିକ ଦଶନ୍ଧି ଧରି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଦ୍ୱାରା ଜର୍ଜରିତ ଏହି ଅଞ୍ଚଳରେ ସ୍ୱାଭାବିକତା ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଲୋକଙ୍କର ବିଶ୍ୱାସର ପ୍ରମାଣ ।"
ଏହାମଧ୍ୟ ପଢନ୍ତୁ... ବାଲାକୋଟ ଏୟାରଷ୍ଟ୍ରାଇକକୁ ପୂରିଲା ୬ ବର୍ଷ, ପାକିସ୍ତାନରେ ପଶି ପୁଲୱାମା ପ୍ରତିଶୋଧ ନେଇଥିଲା ସେନା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ 14 ବର୍ଷ ଜେଲ୍, ପତ୍ନୀଙ୍କୁ ବି ସଜା |
ପାକିସ୍ତାନ ଇସଲାମିକ ସହଯୋଗ ସଂଗଠନକୁ ମୁଖପାତ୍ର କହି ନିଜର ଉପହାସ କରୁଛି । ଏହା ଦୁର୍ଭାଗ୍ୟଜନକ ଯେ ଏକ ଅସଫଳ ରାଷ୍ଟ୍ର, ଯେଉଁଠି ଅସ୍ଥିରତା ବଢୁଛି ଓ ଯିଏ ଅନ୍ୟର ଦାନରେ ବଞ୍ଚୁଛି, ସେଭଳି ରାଷ୍ଟ୍ର ଦ୍ୱାରା ଏହି ପରିଷଦର ସମୟ ନଷ୍ଟ କରାଯାଉଛି ବୋଲି କହିଛନ୍ତି କ୍ଷିତିଜ ତ୍ୟାଗୀ ।
ସେ ଆଉମଧ୍ୟ କହିଛନ୍ତି, "ଭାରତ ପ୍ରତି ପାକିସ୍ତାନର ଥିବା ଅସୁସ୍ଥ ଆବେଗରୁ ଆଗକୁ ବଢିବାକୁ ପଡିବ ଓ ଏହାର ନାଗରିକମାନଙ୍କୁ ପ୍ରଭାବିତ କରୁଥିବା ସମସ୍ୟାଗୁଡିକର ସମାଧାନ କରିବାକୁ ପଡିବ । ଭାରତ ଗଣତନ୍ତ୍ର, ପ୍ରଗତି ଓ ଏହାର ଲୋକଙ୍କ ପ୍ରତି ସମ୍ମାନ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦିଏ । ଏଗୁଡିକ ହେଉଛି ସେହି ମୂଲ୍ୟବୋଧ ଯାହାକୁ ପାକିସ୍ତାନ ଶିଖିବା ଉଚିତ୍ ।" ଦୀର୍ଘ ବର୍ଷ ଧରି ଭାରତ- ପାକିସ୍ତାନ ମଧ୍ୟରେ ସୀମା ବିବାଦ ଲାଗିରହିଥିବା ବେଳେ ଅନ୍ତର୍ଜାତୀୟ ବୈଠକରେ ଉଭୟେ ପୁଣି ମୁହାମୁହିଁ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ