ଭିନ୍ନକ୍ଷମ ଆୟୁକ୍ତ ପଦବୀ ଦାବି: ଖଲ୍ଲିକୋଟରେ ଦିବ୍ୟାଙ୍ଗ ସଂଗଠନର ଜନମତ ସଂଗ୍ରହ - ଖଲ୍ଲିକୋଟରେ ଦିବ୍ୟାଙ୍ଗ ସଂଗଠନର ଦସ୍ତଖତ ଅଭିଯାନ
ବ୍ରହ୍ମପୁର: ପୁଣି ତେଜିଲା ରାଜ୍ୟର ଭିନ୍ନକ୍ଷମ ଆୟୁକ୍ତ ପଦବୀକୁ ନେଇ ଆନ୍ଦୋଳନ । ଏହି ପଦବୀରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ନିଯୁକ୍ତି ଦାବିରେ ବ୍ରହ୍ମପୁରରେ ସଂଗ୍ରହ ହେଲା ଜନମତ । ରାଜ୍ୟର ୧୦ଟି ସ୍ଥାନରେ ଏଭଳି ଜନମତ ସଂଗ୍ରହ କରାଯାଇ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଭିନ୍ନକ୍ଷମ ସଂଗଠନ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ବ୍ରହ୍ମପୁର ସହରର ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ନିକଟରେ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସଦସ୍ୟମାନେ ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ ଠାରୁ ସେମାନଙ୍କ ଲିଖିତ ଜନମତ ସଂଗ୍ରହ କରିଥିଲେ । ରାଜ୍ୟରେ ଦିବ୍ୟାଙ୍ଗମାନେ ଦୀର୍ଘ ଦିନ ଧରି ଏଭଳି ଦାବି କରି ଆସୁଛନ୍ତି । ରାଜ୍ୟରେ ମହିଳା କମିଶନର ଭାବେ ଜଣେ ମହିଳାଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ବିଭିନ୍ନ କମିଶନର ପାଇଁ ସେହି ବିଭାଗର ବ୍ୟକ୍ତି ବିଶେଷ ଅବା ବିଭାଗ ସହିତ ଜଡିତ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଉଥିବାବେଳେ ଏହି କ୍ଷେତ୍ରରେ କାହିଁକି ଜଣେ ଯୋଗ୍ୟ ଦିବ୍ୟାଙ୍ଗଙ୍କୁ ନିଯୁକ୍ତି ଦିଆଯିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ତେବେ ଏମାନଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।