ରେଭେନ୍ସା ହଷ୍ଟେଲରେ ପଶୁଛି ନାଳ ପାଣି, CMC ଅଫିସ୍ ଆଗରେ ଗର୍ଜିଲେ ଛାତ୍ରଛାତ୍ରୀ - ରେଭେନ୍ସା ହଷ୍ଟେଲ ସମସ୍ୟା ନେଇ ଛାତ୍ରଛାତ୍ରୀଙ୍କ ପ୍ରତିବାଦ
କଟକ: ମୌସୁମୀ ବର୍ଷା ସକ୍ରିୟ ଥିବାରୁ ରେଭେନ୍ସା ବିଶ୍ବବିଦ୍ୟାଳୟ ହଷ୍ଟେଲକୁ ପଶୁଛି ନାଳ ପାଣି । କ୍ଲାସ କରିବା ଠାରୁ କ୍ୟାଣ୍ଟିନକୁ ଖାଇବାକୁ ଯିବା ପର୍ଯ୍ୟନ୍ତ ସବୁଥିରେ ସମସ୍ୟା ଭୋଗୁଛନ୍ତି ଛାତ୍ରଛାତ୍ରୀ । ଆଉ ବିଭିନ୍ନ ରୋଗର ଶିକାର ମଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ । ଯାହାର କାରଣ କେବଳ ନାଳ ପାଣି ବୋଲି ଅଭିଯୋଗ ହୋଇଛି । ତେବେ ଏହି ସମସ୍ୟାର ସମାଧାନ ପାଇଁ ଆଜି (ବୁଧବାର) କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ନାରେ ଶତାଧିକ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ, ହଷ୍ଟେଲକୁ ନାଳ ପାଣି ପଶିବ ନେଇ ଦୁଇ ମାସ ପୂର୍ବରୁ କଟକ ମେୟର ଓ କମିଶନରଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ଏଯାବତ ସିଏମସି କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହିଁ । ଏପରି ସ୍ଥଳେ ଯଦି ମହାନଗର ନିଗମ କୌଣସି ପଦକ୍ଷେପ ନନିଏ ତେବେ ଏହି ଆନ୍ଦୋଳନ ଜାରି ରହିବା ନେଇ ଚେତାବନୀ ଦେଇଛନ୍ତି ହଷ୍ଟେଲ ଛାତ୍ରଛାତ୍ରୀ । ଇଟିଭି ଭାରତ, କଟକ