ଓଡିଶା

odisha

ରଥଖଳା ହାଲଚାଲ: ଭଉଁରୀରେ ଚକଅଖ ଡେରା ନୀତି ପାଇଁ ପ୍ରସ୍ତୁତି ଶେଷ

By

Published : May 21, 2022, 4:20 PM IST

ପୁରୀ: ଜୁଲାଇ 1(ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ଆସନ୍ତାକାଲି(ରବିବାର) ଭଉଁରୀରେ ଚକଅଖ ଡେରା ନୀତି ପାଇଁ ପ୍ରସ୍ତୁତି ଶେଷ ହୋଇଛି । ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ପରମ୍ପରା ଅନୁଯାୟୀ ଆସନ୍ତାକାଲି ଭଉଁରୀ ତିଥିରେ ତିନିରଥର ତିନୋଟି ଅଖରେ ୬ଟି ଚକ ଡେରାଯିବ । ଏଥିପାଇଁ ରଥଖଳାରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ତିନିରଥର ୪୨ ଚକ ମଧ୍ୟରୁ ୧୮ ଚକ ନିର୍ମାଣ କରାଯାଇଛି । ସେହିପରି ୨୧ ଅଖ ମଧ୍ୟରୁ ୩ଟି ଅଖ ପ୍ରସ୍ତୁତ ହୋଇଛି । ୪୪ ଯୋଖା ନିର୍ମାଣ କରାଯାଇଛି । ତୁମ୍ବଗୁଡିକରେ ଲୁହାବଳା ଏବଂ ପନ୍ଦାରୀ ଲଗାଯିବା ସହ ଅର ଏବଂ ପହି ସଂଯୋଗ କରାଯାଉଛି । ମହାରଣା ସେବକ ମୁହାଣ୍ଟ ଓ ଭୂଇଁଚଉତା ଆରମ୍ଭ କରିଛନ୍ତି । ରୂପକାର ସେବକମାନେ ଗୁଜରେ ନୃସିଂହ ମୂର୍ତ୍ତି ଏବଂ ସିଂହବରାଳ ଖୋଦେଇ କରୁଛନ୍ତି । ଦୋଳବେଦୀ କୋଣ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ବଳା, ଅରକଣ୍ଟା, ପନ୍ଦାରି ଏବଂ ପନ୍ଦାରି ଚାବି ନିର୍ମାଣ କରୁଛନ୍ତି । ଭଉଁରିଯାତ୍ରା ପରେ ନିର୍ମାଣ କାର୍ଯ୍ୟ ଅଧିକ ତ୍ବରାନ୍ବିତ ହେବ । ଅବଶିଷ୍ଟ ଚକ ନିର୍ମାଣ କରାଯାଉଛି ।ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details