ରୁଚିକା ପାଇଁ ଓଡିଶା ବନ୍ଦ: ଖୋର୍ଦ୍ଧାରେ ରାସ୍ତା ଅବରୋଧ କଲେ ଚାଷୀ
ଖୋର୍ଦ୍ଧା: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଆଜି ନବନିର୍ମାଣ ଯୁବ ଛାତ୍ର ଓ କୃଷକ ସଂଗଠନ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି । ଏହି ବନ୍ଦର ପ୍ରଭାବ ଖୋର୍ଦ୍ଧା ଏବଂ ବୋଲଗଡରେ ଦେଖିବାକୁ ମିଳିଛି । ସୁଇସାଇଡ୍ ନୋଟରେ ରୁଚିକା ତାଙ୍କ ତିନି ଜଣ ସିନିୟରଙ୍କ ଦ୍ବାରା ନିର୍ଯ୍ୟାତନାର ଶିକାର ହୋଇଥିବା କଥା ଲେଖିଥିଲେ । ତେବେ ପ୍ରାଥମିକ ତଦନ୍ତ ପରେ ରାଗିଂ ସମ୍ପର୍କରେ କୌଣସି ସୁରାକ୍ ମିଳିନଥିବା କହିଥିଲା କମିସନରେଟ୍ ପୋଲିସ । ଏହାକୁ ବିରୋଧ କରି ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଛି । ନବ ନିର୍ମାଣ କୃଷକ ସଙ୍ଗଠନର ବହୁ ଚାଷୀ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ ପରମାନଦ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାସ୍ତାରେ ଯାଉଥିବା ଯାନବାହାନକୁ ଅଟକାଇବା ସହିତ ନବୀନ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ବୋଲଗଡ ପୋଲିସ ମୁତୟନ ହୋଇଛନ୍ତି । ଇଟିଭି ଭାରତ, ଖୋର୍ଦ୍ଧା