ଲଗାଣ ବର୍ଷାରେ ବେହାଲ ଖୋର୍ଦ୍ଧା, ବାଣପୁରରେ ସର୍ବାଧିକ ବୋଲଗଡ଼ରେ ସର୍ବନିମ୍ନ - ଖୋର୍ଦ୍ଧାରେ ଲଗାଣ ବର୍ଷା
ଖୋର୍ଦ୍ଧା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଦିନ ତମାମ ବର୍ଷା ଯୋଗୁଁ ଜୀବନ ଯାତ୍ରା ଠପ ହୋଇପଡିଛି । ଲଗାଣ ବର୍ଷା ଯୋଗୁଁ ଜଳାର୍ଣ୍ଣବ ହୋଇ ପଡିଛି ପୁରା ସହର । ଖୋର୍ଦ୍ଧାର ଚଣ୍ଡୀଚୁଆ ଛକରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷା ଜଳ ଜମି ରହିଛି । ସେହିପରି ଖୋର୍ଦ୍ଧା ସହରେ ଡ୍ରେନେଜ ବ୍ୟବସ୍ଥା ଠିକ ନଥିବାରୁ ଘର ଭିତରେ ବର୍ଷା ପାଣି ଲହଡି ମାରୁଥିବା ଦେଖିବାକୁ ମିଳିଛି । ପାଣିପାଗ ବିଭାଗ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି । ବାଣପୁର ବ୍ଲକରେ ସର୍ବାଧିକ 103 ମିଲି ବର୍ଷା ରେକର୍ଡ଼ କରଯାଇଛି । ସେହିପରି ବାଲିଅନ୍ତାରେ 62,ବାଲିପାଟଣା 60.4, ଭୁବନେଶ୍ବରରେ 43.2, ଜଟଣୀ 35, ବେଗୁନିଆ 45, ଚିଲିକା 62, ଖୋର୍ଦ୍ଧା 70, ଟାଙ୍ଗି 42 ଓ ବୋଲଗଡ଼ରେ ସର୍ବନିମ୍ନ 24 ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଆଜି ମଧ୍ୟ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଇଟିଭି ଭାରତ,ଖୋର୍ଦ୍ଧା