ରଥଖଳା ହାଲଚାଲ: ତିନି ରଥର ଭୂଇଁଚଉତା ଓ ମୁହାଁଟ ବିନ୍ଧ ଅନୁକୂଳ - ଚାଲିଛି ରଥ ନିର୍ମାଣ କାର୍ଯ୍ୟ
ପୁରୀ : ପାଖେଇ ଆସୁଛି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ତିନି ରଥର ମୋଟ ୪୨ ଚକ ମଧ୍ୟରୁ ୩୯ଟି ଚକ ନିର୍ମାଣ ସରିଛି । ୩ଟି ତୁମ୍ବରେ ଅର ସଂଯୋଗ ସହ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏହି କ୍ରମରେ ଭୂଇଁଚଉତା ଓ ମୁହାଁଟ ବିନ୍ଧ ଅନୁକୂଳ ହୋଇଛି । ତିନିରଥର ୪ଟି ଲେଖାଏଁ ଚାରିନାହାକା, ପୋଟଳ ପାରେଣି, ପୋଟଳ ଓରା ଓ ପୋଟଳ ଖମ୍ବୀ ନିର୍ମାଣ ସରିଛି ତିନିରଥର ଚଉଦ ନାହାକା ତିଆରି ଚାଲିଛି। ତାଳଧ୍ଵଜ ରଥ ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ । ଶେଷ ହୋଇଛି ତାଳଧ୍ଵଜ ରଥ ସିଂହାସନ ନିର୍ମାଣ । ଏହା ରୂପକାର ସେବକଙ୍କୁ ହସ୍ତାନ୍ତର କରାଯାଇଛି । ସେଥିରେ ରୂପକାର ସେବକମାନେ ଡାଳି, ଲତା, କୁମ୍ଭ ଖୋଦେଇ କରିବେ। ଚଉତା ଓ ମୁହାଁଟ ବିନ୍ଧ ଅନୁକୂଳ ପୂଜା ପରେ ବିନ୍ଧକାର୍ଯ୍ୟ ଆରମ୍ଭ ହୋଇଛି । ଇଟିଭି ଭାରତ, ପୁରୀ