ଓଡିଶା

odisha

ETV Bharat / videos

ରଥଖଳା ହାଲଚାଲ: ୩ ରଥର ଚକ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ମହାରଣା ସେବକ - ବିଶ୍ବପ୍ରସିଦ୍ଧ ରଥଯାତ୍ରା ୨୦୨୨

By

Published : May 23, 2022, 4:51 PM IST

ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଆସନ୍ତା ଜୁଲାଇ ୧ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ଗତକାଲି ତିନି ରଥର ଅଖ ଚକ ଡେରା ନୀତି ସମ୍ପନ୍ନ ହୋଇଥିବା ବେଳେ ଆଜି(ସୋମବାର) ମହାପ୍ରଭୁଙ୍କ ରଥର ଚକ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ବିଶ୍ବକର୍ମା ମହାରଣା ସେବକ । ତିନିରଥର ତିନିଟି ଅଖ ସହ ୬ଟି ଚକ ସଂଯୋଗ ପୂର୍ବକ ଚକ-ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ତାଳଧ୍ଵଜ ରଥର ୬ଟି ଚକ ନିର୍ମାଣ ଶେଷ ହୋଇ ସପ୍ତମ ଓ ଅଷ୍ଟମ ଚକରେ ପଇଲାଗି, ପଇ କଳସା ସରିଛି । ବିଲେଇ ବାଡ଼ିଆ ପରେ ପଇ ସଂଯୋଗ କରାଯିବ। ନବମ ଚକ ତୁମ୍ବରେ ଅର ସଂଯୋଗ ହୋଇ ଅର କଟିଙ୍ଗ ସରିଛି। ପଇ ବିନ୍ଧା ଶେଷ ପରେ ପଇ ପିନ୍ଧାଯିବ। ପ୍ରଥମ ଭୂଇଁର ୪ଟି ଭୁଇଁ ଚଉତା କାଠ ଚଉପଟ ପରେ ୨ୟ ଭୂଇଁ ପାଇଁ ୨ଟି ଭୂଇଁ ଚଉତା କାଠ ଚଉପଟ କାର୍ଯ୍ୟ ଆରମ୍ଭ ହେବା ସହ ୨ଟି ଆଗଆଣି, ପଛ ଆଣି ମୁହଁଟ ଚଉପଟ କାର୍ଯ୍ୟ ଜାରି ରହିଛି। ଦେବଦଳନ ରଥର ୫ଟି ଚକ ନିର୍ମାଣ ଶେଷ ହୋଇ ଷଷ୍ଠ ଓ ସପ୍ତମ ଚକର ପଇ କଳସା ସରିଛି । ଅଷ୍ଟମ ଚକ ପାଇଁ ତୁମ୍ବରେ ଅର ସଂଯୋଗ ହୋଇଛି । ପନ୍ଦାରୀ ଓ ବଳା ବସି ପନ୍ଦରୀ ଗାଡ଼ କାମ ଚାଲିଛି । ନବମ ଚକ ପାଇଁ ତୁମ୍ବରେ ଅର ସଂଯୋଗ ହୋଇ ଅରକଟା ପାଇଁ ମାପ ଚିହ୍ନ ପଡ଼ିଛି । ପ୍ରଥମ ଭୁଇଁଚଉତା ୪ଟି ଚଉପଟ ହୋଇ ସରିବା ପରେ ଦ୍ବିତୀୟ ଭୂଇଁ ଲାଗି ୨ଟି ଭୂଇଁ ଚଉତା ଚଉପଟ ଚାଲିଛି । ଦୁଇଟି ଅସୁଆଣି ପଛୁଆଁଣି ମୁହାଁଟ ଚଉପଟ କାର୍ଯ୍ୟ ଜାରି ରହିଛି । ନନ୍ଦିଘୋଷ ରଥର ୭ଟି ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଅଷ୍ଟମ ଓ ନବମ ଚକରେ ପଇ କଳସା ଶେଷ ହୋଇଛି । ଦଶମ ଚକ ପାଇଁ ତୁମ୍ଭରେ ଅର ସଂଯୋଗ ହୋଇଛି । ତୁମ୍ବରେ ଅଖ ବିନ୍ଧ ପରେ ପନ୍ଦାରି, ବଳା ବସିଛି । ନନ୍ଦିଘୋଷ ରଥର ପ୍ରଥମ ଭୂଇଁଚଉତା ୪ଟି ଚଉପଟ ପରେ ଦ୍ଵିତୀୟ ଭୂଇଁ ପାଇଁ ଦୁଇଟି ଭୂଇଁ ଚଉତା ଚଉପଟ କାର୍ଯ୍ୟ ହେବା ସହ ୩ଟି ମୁହାଁଟ ଚଉପଟ କାର୍ଯ୍ୟ ଜାରି ରହିଛି । ରୂପକାରମାନେ ତିନିରଥର ସାଲଗୁଜ ଏବଂ ତିଖଗୁଜରେ ସିଂହ ବିରାଳ ରୂପ ଖୋଦେଇ କରୁଛନ୍ତି । ଅସ୍ଥାୟୀ କମାରଶାଳରେ କମାର ସେବକମାନେ ବଳା, ତିନିରଥର ଘଡ଼ିମୁହଁ ଦଣ୍ଡା କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details