ରଥଖଳା ହାଲଚାଲ, ଚାଲିଛି ତିନିରଥ ତୁମ୍ବରେ ଅରକଣ୍ଟା ବିନ୍ଧ କାର୍ଯ୍ୟ - ରଥଯାତ୍ରା ପ୍ରସ୍ତୁତି
ପୁରୀ: ଆସନ୍ତା ଜୁଲାଇ 1 (ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ଚଳଚଞ୍ଚଳ ରଥଖଳା । ଆଜି(ଶୁକ୍ରବାର) ତାଳଧ୍ଵଜ ରଥର ମୋଟ ୧୪ଟି ଚକ ପାଇଁ ଆବଶ୍ୟକ ୧୪ଟି ତୁମ୍ବରୁ ୯ଟି ତୁମ୍ବର ବିନ୍ଧକାର୍ଯ୍ୟ ଶେଷ ହୋଇଛି, ଏଥିସହ ୪ଟି ତୁମ୍ବରେ ଅରକଣ୍ଟା ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଦେବଦଳନ ରଥର ମୋଟ ୧୨ଟି ଚକ ପାଇଁ ଆବଶ୍ୟକ ୧୨ ତୁମ୍ବ ମଧ୍ୟରୁ ୭ଟି ତୁମ୍ବର ବିନ୍ଧକାର୍ଯ୍ୟ ଶେଷ ହେବା ସହ ୬ଟି ତୁମ୍ବର ଅରକଣ୍ଟା ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ସେହିପରି ନନ୍ଦିଘୋଷ ରଥର ମୋଟ ୧୬ଟି ଚକା ପାଇଁ ଆବଶ୍ୟକ ୧୬ଟି ତୁମ୍ବରୁ ୧୦ଟି ତୁମ୍ବର ବିନ୍ଧକାର୍ଯ୍ୟ ଶେଷ ହୋଇଛି । ଏଥିସହ୪ ଗୋଟି ତୁମ୍ବର ଅରକଣ୍ଟା ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଦୋଳବେଦୀରେ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଅରକଣ୍ଟା ନିର୍ମାଣ ସହ ପନ୍ଦାରୀ ପୋଡ଼ା ଏବଂ ପନ୍ଦାରୀ ମଠା କାର୍ଯ୍ୟ ଜାରି ରଖିଛନ୍ତି । ନନ୍ଦିଘୋଷ ରଥ ଏବଂ ଦେବଦଳନ ରଥର ଓଝା ସେବକମାନେ ଦୁଇ ଦୁଇଟି ଚକ ପାଇଁ ଆବଶ୍ୟକ ପନ୍ଦାରୀ ପଡିବା ସହ କଳଙ୍କି ଛଡ଼ାଇ ମଠା କାର୍ଯ୍ୟ ଶେଷ କରିଛନ୍ତି । ସେହିପରି ତାଳଧ୍ଵଜ ରଥର ଓଝା ସେବକମାନେ ଅରକଣ୍ଟା ନିର୍ମାଣ ସହ ୮ଟି ପନ୍ଦାରୀ ପୋଡ଼ା କାର୍ଯ୍ୟ ଶେଷ କରିଛନ୍ତି । ଏହାପରେ ପନ୍ଦାରୀରୁ କଳଙ୍କି ଛଡା ଏବଂ ମଠା କାର୍ଯ୍ୟ ହେବ ।ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ