କୋରୋନା ଯୋଦ୍ଧା ଅଙ୍ଗନବାଡି ଦିଦି; ଅଧାରେ ହେଲେ ପଜିଟିଭ୍, ମେଡିକାଲରୁ ଫେରି କଲେ ସେବା - international womens day
ବ୍ରହ୍ମପୁର: କାଳ ରୂପୀ କୋରୋନା ସଂକ୍ରମଣକୁ ଦେଶରେ କିପରି ରୋକା ଯାଇପାରିବ ? ତାକୁ ନେଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗ୍ରାଉଣ୍ଡ ଜିରୋରେ ଅଙ୍ଗନାବାଡି କର୍ମୀଙ୍କ ପର୍ଯ୍ୟନ୍ତ ଜାରି ରହିଥିଲା ଉଦ୍ୟମ । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କୋଭିଡ କଟକଣାର ବିଭିନ୍ନ ନିୟମ ନେଇ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସଚେତନ କରିଥିଲେ ସ୍ୱାସ୍ଥକର୍ମୀଙ୍କ ଠାରୁ ଆରମ୍ଭ କରି ଆଶା ଓ ଅଙ୍ଗନାବାଡି କର୍ମୀ । ଏହାକୁ ବିଭିନ୍ନ ସ୍ତରରେ ଢେର ପ୍ରଶଂସା କରାଯାଇଛି । ସେମିତି ଜଣେ କୋରୋନା ଯୋଦ୍ଧା ହେଉଛନ୍ତି ସୌଦାମିନୀ ପଣ୍ଡା । ସାହାସ ଓ ସହୃଦୟତାର ଜଣେ ସାକ୍ଷାତ ଦେବୀ । ଯୁଦ୍ଧ କ୍ଷେତ୍ରରେ ତ ଅନେକ ଯୋଦ୍ଧା ଥିଲେ ହେଲେ ଏ ଯୋଦ୍ଧାଙ୍କ କାହାଣୀ ଅନନ୍ୟ । ସରକାରୀ କଳ, ବଳ ନୁହେଁ ବରଂ ନିର୍ଦ୍ଦେଶ ମାନି ନିଜର ପାରୁପର୍ଯ୍ୟନ୍ତ ତୁଲାଉ ଥିଲେ କାର୍ଯ୍ୟ । ଯେତେବେଳେ ଭାଇରସ ଭୟରେ ସମସ୍ତେ ଘରେ ରହୁଥିଲେ ବାହାରେ ରହି ସେ କରୁଥିଲେ ଜନସେବା । ଉଦୁ ଉଦିଆ ଖରାରେ ଛତା ଖଣ୍ଡେ ଧରି ସଚେତନତା ପାଇଁ ଘରୁ ବାହାରି ଯାଆନ୍ତି ଅଙ୍ଗନବାଡି କର୍ମୀ ସୌଦାମିନୀ ।