ଓଡିଶା

odisha

ETV Bharat / videos

ଡ୍ୟାମ ଜଳରେ ଭାସିଗଲା ସରକାରୀ ପ୍ରତିଶୃତି, ଜୀବିକା ବଞ୍ଚାଉଛି ଟ୍ରାକ୍ଟର ଟ୍ୟୁବ୍‌ - ତେନ୍ତୁଳିଗୁଡାବାସୀଙ୍କ ଦୁଃଖ

By

Published : Oct 4, 2020, 7:10 PM IST

କୋରାପୁଟ: କୋରାପୁଟ ପୌରାଞ୍ଚଳର ଛୋଟିଆ ଗାଁ ତେନ୍ତୁଳିଗୁଡା । ଗ୍ରାମବାସୀଙ୍କ ସୁବିଧା ପାଇଁ ଗାଁ ପାଖ ପାହାଡି ନଦୀର ଉପର ମୁଣ୍ଡରେ ଜଳସମ୍ପଦ ବିଭାଗ ନିର୍ମାଣ କରିଥିଲା ଜଗମଗୁଡା ଡ୍ୟାମ । ହେଲେ ସୁବିଧା ଦେବା ବଦଳରେ ଏହା ଗ୍ରାମବାସୀଙ୍କ ଉପରେ ଲଦି ଦେଇଛି ଦୁଃଖ ଓ କଷ୍ଟର ପାହାଡ । ପ୍ରାୟ 12 ବର୍ଷ ପୂର୍ବେ ଡ୍ୟାମ ନିର୍ମାଣ ପରେ ଗାଁ ପାଖକୁ ମାଡି ଆସିଥିଲା ଡ୍ୟାମର ପାଣି । ଦେଖୁ ଦେଖୁ ଡ୍ୟାମ ପାଣିରେ ନଷ୍ଟ ହୋଇଗଲା ଏକର ଏକର ଚାଷ ଜମି । କ୍ଷତିପୂରଣ ବାବଦରେ ଗ୍ରାମବାସୀଙ୍କୁ ଅର୍ଥ ସିନା ମିଳିଗଲା ହେଲେ ସେମାନେ ହରାଇ ବସିଲେ ପ୍ରାୟ 200 ଏକର ଚାଷ ଜମି । ସରକାରୀ କ୍ଷତିପୂରଣରେ କେତେ ଦିନ ଅବା ଚଳିପାରିବ ଚାଷୀ ପରିବାର ? ଫଳରେ ନିଜସ୍ବ ଉଦ୍ୟମରେ ଜୀବନକୁ ବାଜିରେ ଲଗାଇ ଏବେ ଟ୍ରାକ୍ଟର ଟ୍ୟୁବ୍‌ରେ କୃତ୍ରିମ ନଦୀ ପାର କରି ଚାଷ ଜମି ଯାଉଛନ୍ତି ତେନ୍ତୁଳିଗୁଡାବାସୀ । ଡ୍ୟାମ ପାଣି ମାଡି ଯିବାରୁ ସୃଷ୍ଟି ହୋଇଥିବା କୃତ୍ରିମ ନଦୀ ପାଇଁ ପ୍ରାୟ 50 ପରିବାରର ଚାଷ କାର୍ଯ୍ୟରେ ଲାଗିଛି ଲଗାମ । ଏମିତିରେ ଜୀବିକା ନିର୍ବାହ ପାଇଁ ନଦୀ ଆର ପାଖେ ଥିବା ନିଜ ଚାଷ ଜମିରେ ଯାଇ ଚାଷ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ଏଥିପାଇଁ ସଡକ ପଥ ଦେଇ 12 କିଲୋମିଟର ବୁଲାଣି ରାସ୍ତା ଯିବାକୁ ପଡୁଥିବାରୁ ଟ୍ରାକ୍ଟର ଟ୍ୟୁବ୍‌ରେ ପବନ ଦେଇ ପିନ୍ଧା ଚପଲକୁ ଆହୁଲା କରି ନଦୀ ପାର କରୁଛନ୍ତି ଗ୍ରାମବାସୀ । ଏପରି ବିପଦ ସଙ୍କୁଳ ଯାତ୍ରା ଯୋଗୁଁ 4 ବର୍ଷ ତଳେ ଜଣେ ପ୍ରାଣ ହରାଇବା ସତ୍ତ୍ବେ ବି ଚେତୁନି ପ୍ରଶାସନ କି ସରକାର । ସେପଟେ ନିର୍ବାଚନ ସମୟରେ ନେତା ମନ୍ତ୍ରୀମାନେ ପୋଲ ନିର୍ମାଣର ପ୍ରତିଶୃତି ଦେଇ ଭୋଟ ହାତେଇବା ପରେ ପ୍ରତିଶୃତିକୁ ଏହି ନଦୀ ପାଣିରେ ଭସାଇ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ତେନ୍ତୁଳିଗୁଡାବାସୀ ।

ABOUT THE AUTHOR

...view details