ଘରେ ଘରେ ବଢୁଛି ମାଣ୍ଡିଆର ଆଦର, ଅଧିକ ଉତ୍ପାଦନ ପାଇଁ ନୂତନ ଜ୍ଞାନକୌଶଳ ଆବଶ୍ୟକ - ମାଣ୍ଡିଆ ପ୍ରତି ଆଗ୍ରହ
କୋରାପୁଟ: ମାଣ୍ଡିଆ । ଟିକେ ଖାଇଦେଲେ ପେଟ ଶାନ୍ତି, ଆଉ ମନ ବି ଶାନ୍ତି । ଏହାର ଚାହିଦା ବି ବେଶ ଅଧିକ । ଶୁଷ୍କ ମାଟିର ସୁନା ବୋଲାଉଥିବା ମାଣ୍ଡିଆର ସ୍ବାଦ ଯିଏ ନଚାଖିଛି ସେ ଜାଣିନି । ତେବେ ଏହାର ଚାଷ ଆଉ ଦେଖିବାକୁ ମିଳୁନଥିବାବେଳେ କୋରାପୁଟରେ କିନ୍ତୁ ଏହା ଅନେକ ଚାଷୀଙ୍କ ଜୀବିକା ପାଲଟିଛି । ଅନେକଙ୍କ ମୁହଁରେ ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଉଛି । ଏହାସହ ଏଥିରେ ପୃଷ୍ଟିସାର ଥିବାରୁ ଲୋକଙ୍କ ମାଣ୍ଡିଆ ପ୍ରତି ଆଗ୍ରହ ମଧ୍ୟ ବଢୁଥିବା ଦେଖିବାକୁ ମିଳୁଛି । କୋରାପୁଟର ପାର୍ବତ୍ୟ ଅଞ୍ଚଳରେ ମାଣ୍ଡିଆର ପ୍ରକାରଭେଦ ଓ ଆଦିବାସୀଙ୍କ ପାଖରେ ଥିବା ଜ୍ଞାନ କୌଶଳକୁ ଦେଖିଲେ ଏହି ଅଞ୍ଚଳ ଧାନ ଭଳି ମାଣ୍ଡିଆର ମଧ୍ୟ ଜନ୍ମସ୍ଥଳୀ ହୋଇଥିବା ଅନୁମାନ କରାଯାଏ । ମାଣ୍ଡିଆ ଜାତୀୟ ଶସ୍ୟ ଗୁଡିକ ଜଳ ସଞ୍ଚୟକାରୀ ଓ ମରୁଡି ସହନଶୀଳ ହୋଇଥିବା ଯୋଗୁଁ ଜଳବାୟୁର ପରିବର୍ତ୍ତନକୁ ସହଜରେ ଆଦରି ନେଇପାରେ ।