ରାୟଗଡ଼ା ଜିଲ୍ଲାରେ ପଲ୍ଲୀରୁ ସହର ପର୍ଯ୍ୟନ୍ତ ଜନତା କର୍ଫ୍ୟୁ
ରାୟଗଡ଼ା: ଜିଲ୍ଲାରେ ପଲ୍ଲୀରୁ ସହର ପର୍ଯ୍ୟନ୍ତ ଜନତା କର୍ଫ୍ୟୁର ଅଦ୍ଭୁତ ପୂର୍ବ ପ୍ରଭାବ ପଡ଼ିଛି । ଜିଲ୍ଲାର ୧୧ ଟି ବ୍ଲକ, 2ଟି ମ୍ୟୁନସିପାଲଟି ଏବଂ ଗୋଟିଏ ଏନଏସିରେ ଜନତା କର୍ଫ୍ୟୁର ସମ୍ପୁର୍ଣ୍ଣ ପ୍ରଭାବ ପରିଲଖିତ ହୋଇଛି । ଜିଲ୍ଲାରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ କେବଳ ଆମ୍ବୁଲାନସ ଓ ପୋଲିସ ଗାଡ଼ିକୁ ଛାଡ଼ି ଅନ୍ୟାନ୍ୟ ଯାନବାହାନ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଥବା ଦେଖିବାକୁ ମିଳିଛି । ଜନତା କର୍ଫ୍ୟୁକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ ରେଳମନ୍ତ୍ରଣାଳୟ ତରଫରୁ ରାୟଗଡ଼ା ଦେଇ ଯାତାୟତ କରୁଥିବା ୨୩ ଟି ଏକ୍ସପ୍ରେସ ଓ ପାସେଞ୍ଜେର ଟ୍ରେନକୁ ବାତିଲ କରାଯାଇଥିବାରୁ ଏହାର ପ୍ରଭାବରେ ରେଳଷ୍ଟେସନ ମଧ୍ୟ ଜନଶୁନ୍ୟ ହୋଇଥିବା ଦେଖିବାକୁ ମିଳିଛି । ଜିଲ୍ଲାର ମୁନିଗୁଡ଼ା, ଗୁଣପୁର ଓ ରାୟଗଡ଼ା ଦେଇଯାଉଥିବା ସମସ୍ତ ସରକାରୀ ଏବଂ ବେସରକାରୀ ବସ ଚଳାଚଳ ବନ୍ଦ ରହିଥିବା ବେଳେ ବସଗୁଡ଼ିକ ସମ୍ପୃକ୍ତ ବସଷ୍ଟାଣ୍ଡରେ ଅଟକି ରହିଛି । ଜିଲ୍ଲା ସଦର ମହକୁମା ସମେତ ସମସ୍ତ ବ୍ଲକ ଏପରିକି ଗ୍ରାମାଞ୍ଚଳରେ ମଧ୍ୟ ଔଷଧ ଦୋକାନ ଛାଡ଼ି ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ