ଓଡିଶା

odisha

ନୀଳାଚଳେ ଜଗନ୍ନାଥ: ଶ୍ରୀକ୍ଷେତ୍ରେ ପଡିଛି ପବନପୁତ୍ର ହନୁମାନଙ୍କ ପାଦରେ ଶିକୁଳି

By

Published : Jun 30, 2020, 3:37 PM IST

ପୁରୀ: ଓଡିଶାର ପୁରୀ ସହର ମହାପ୍ରଭୁ ନିମନ୍ତେ ପ୍ରସିଦ୍ଧ । ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ମୁଖ୍ୟତଃ ଜଗନ୍ନାଥ ମନ୍ଦିର ବର୍ଷ ସାରା ହଜାର ହଜାର ଭକ୍ତ ଆସନ୍ତି। ପରମ ପବିତ୍ର ପୁରୁଷୋତ୍ତମ କ୍ଷେତ୍ରର ମହିମା ଅବର୍ଣ୍ଣନୀୟ, ଆଶ୍ଚର୍ଯ୍ୟରେ ପରିପୂର୍ଣ୍ଣ । ଶ୍ରୀକ୍ଷେତ୍ରର ଅନେକ ତଥ୍ୟ ଏବେ ବି ଅଜ୍ଞାତ, ରହସ୍ୟାବୃତ । ଏହି କ୍ଷେତ୍ର ଲୌକିକ ଓ ଅଲୌକିକ ଘଟଣାର ଗନ୍ତାଘର । ନୀଳାଚଳ ଧାମରେ ନୀଳିଦ୍ରିନାଥଙ୍କ ନିର୍ଦ୍ଦେଶରେ ଗଭୀର ବିଶାଳ, ଅଶାନ୍ତ ସମୁଦ୍ର ବଶୀଭୂତ, ଲଙ୍ଘି ନଥାଏ କୂଳ ? ଏଇଠି ଦିଗନ୍ତବ୍ୟାପୀ ମହୋଦଧିକୁ ଅଟକାଇ ରଖିଛନ୍ତି ବେଡି ପକା ବା ଶିଙ୍କୁଳିରେ ବନ୍ଧା ହନୁମାନ । ବେଡି ପକା ବା ହନୁମାନ ନାମକରଣ ଓ ସମୁଦ୍ର କୂଳ ନଲଙ୍ଘିବା ପଛରେ ରହିଛି ରୋଚକ ପୌରାଣିକ କାହାଣୀ । ପୌରାଣିକ କାହାଣୀ ଅନୁସାରେ ବଡଦେଉଳରେ ଝିଅ ବିଭା ଦେଇଥିଲେ ସାଗର ରାଜା । ସିନ୍ଧୁରାଜ ଜେମାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏହିକାରଣରୁ ଅନେକ ସମୟରେ ଝିଅ ଓ ଜ୍ବାଇଁଙ୍କ ଦର୍ଶନ ନିମନ୍ତେ ସାଗରରାଜା ବଡଦେଉଳ ଆସିବା ଫଳରେ ଜଳମଗ୍ନ ହୋଇଯାଏ ଶ୍ରୀକ୍ଷେତ୍ର, ବାଇଶି ପାବଚ୍ଛ । ବାରମ୍ବାର ସମୁଦ୍ର ଜଳ ଦ୍ବାରା କ୍ଷତିଗ୍ରସ୍ତ ହୋଇ ଉପାୟଶୂନ୍ୟ ଶ୍ରୀକ୍ଷେତ୍ରବାସୀ ଗୁହାରି କରନ୍ତି ଶ୍ରୀଜଗନ୍ନାଥଙ୍କୁ । ଭାବଗ୍ରାହୀ ଭଗବାନ ଭକ୍ତଙ୍କ ଡାକଶୁଣି, ହନୁମାନଙ୍କୁ ସମୁଦ୍ର କୂଳ ଜଗିବା ପାଇଁ ନିର୍ଦ୍ଦେଶ ଦିଅନ୍ତି । ଫଳରେ ବିଶାଳକାୟ ଏକ ହନୁମାନ ଚକ୍ରତୀର୍ଥର ଅନତି ଦୂରରେ ଜାଗ୍ରତ ପ୍ରହରୀରୂପେ ରହି ଶ୍ରୀକ୍ଷେତ୍ର ମଧ୍ୟରେ ସମୁଦ୍ରର ଅନୁପ୍ରବେଶ ପ୍ରତିରୋଧ କରନ୍ତି । ଶ୍ରୀକ୍ଷେତ୍ରକୁ ଦରିଆ ଦାଉରୁ ରକ୍ଷା କରୁଥିବାରୁ ଏହାଙ୍କୁ ଦରିଆ ହନୁମାନ ବୋଲି ମଧ୍ୟ କୁହାଯାଏ ।

ABOUT THE AUTHOR

...view details