ସମସ୍ୟାରେ ଗୋବରୀ: ପିଏମଓଙ୍କ ନିକଟରେ ଗୁହାରୀ
କେନ୍ଦ୍ରାପଡ଼ା: ସହର ମଧ୍ୟଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀ ଓ ମହାନଦୀରୁ ବାହାରିଥିବା ଗୋବରୀ କେନାଲର ଜଳ ହୋଇପଡିଛି ଦୂଷିତ । ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଏଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେହି ଆନ୍ତରିକତା ପ୍ରକାଶ କରିନାହାଁନ୍ତି । ଯାହାକୁ ନେଇ ଚିନ୍ତାରେ ବସବାସ କରୁଥିବା ଲୋକେ । ଦିନକୁ ଦିନ ଚିନ୍ତା ବଢାଉଛି ନଦୀ ପ୍ରଦୂଷଣ । କେନ୍ଦ୍ର ସରକାର ନଦୀ ସଫେଇ ପାଇଁ ବିଭିନ୍ନ ଯୋଜନାମାନ କରିଛନ୍ତି । ହେଲେ ଏହି ଯୋଜନା ସତେ ଯେମିତି ଫେଲ ମାରିଛି କେନ୍ଦ୍ରାପଡା ଜିଲ୍ଲାରେ । ଗୋବରୀ ନଦୀ ଉପରେ 200ଟି ପଞ୍ଚାୟତର ପ୍ରାୟ 10ଲକ୍ଷ ଲୋକ ନିର୍ଭରଶୀଳ । ମାତ୍ର ନଦୀ ଅବବାହିକାରେ ବେଆଇନ ଘର, ଦୋକାନଘର ନିର୍ମାଣ ସାଙ୍ଗକୁ ସହରର ଆବର୍ଜନା ଓ ଦୂଷିତ ପାଣି ନଦୀରେ ମିଶୁଛି । ନଦୀ ପାଣି ବିଷାକ୍ତ ହୋଇପଡୁଥିବାବେଳେ ନଦୀର ଉଭୟ ପାର୍ଶ୍ବ ଏବେ ପୋତି ହେବାରେ ଲାଗିଛି । ମାତ୍ର ନଦୀର ପୁନଋଦ୍ଧାର ପାଇଁ ନା ପ୍ରଶାସନ ଧ୍ୟାନ ଦେଉଛି ନା ରାଜନେତାଙ୍କ ଦୃଷ୍ଟି ପଡୁଛି । ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।