ବୁର୍ଲାର 4 ଟି ସ୍ଥାନକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା - ଜିଲ୍ଲା ପ୍ରଶାସନର ଚିନ୍ତା
ସମ୍ବଲପୁର: ବୁର୍ଲାରେ ଦିନକୁ ଦିନ କୋରୋନା ସ୍ଥିତି ବିଗିଡିବାରେ ଲାଗିଛି। ମୁଖ୍ୟତଃ ବୁର୍ଲାରୁ ସ୍ଥାନୀୟ ସଂକ୍ରମଣର ମାମଲା ବଢ଼ିବାରେ ଲାଗିଥିବା ଯୋଗୁଁ ଏହା ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଏଥିପାଇଁ ଗୋଷ୍ଠୀ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ବୁର୍ଲା ସହରର 2 ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଓ ଅନ୍ୟ 2 ଟି ସ୍ଥାନକୁ ବଫର ଜୋନ ଭାବେ ଘୋଷଣା କରିଛି। ବୁର୍ଲାର ୱାର୍ଡ ନମ୍ବର 4 ର ଗୁରୁଦ୍ବାର କଲୋନୀ ଓ ୱାର୍ଡ ନମ୍ବର 7 ର ତେଲୁଗୁପଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଅନ୍ୟପଟେ ୱାର୍ଡ ନମ୍ବର 4ର 'ଇଏଣ୍ଡଏଫ-ଟାଇଫ କ୍ବାର୍ଟର ଲାଇନ୍ସ' ଓ ନୂଆଁପଡା ଅଞ୍ଚଳର OHPC କଲୋନୀ, ଫ୍ରେଣ୍ଡସ କଲୋନୀ, ବିନାୟକ ହସ୍ପିଟାଲ ଓ ସୌରବ ବିହାରକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି।