ଆସୁଛନ୍ତି ମା': ଫୁଲେଇ ହେଉଛି କାଶତଣ୍ଡୀ, ଭାବବିହ୍ବଳ କବି - ଫୁଲେଇ ହେଉଛି କାଶତଣ୍ଡୀ
କେନ୍ଦ୍ରାପଡା: ଚାଲିଛି ପାର୍ବଣ ଋତୁ। ମା'ଙ୍କ ସ୍ବାଗତ ପାଇଁ କାଶତଣ୍ଡୀ ବିଛେଇ ଦେଇଛି ମଖମଲ୍ଲି ସଫେଦ୍ ପାଟ ଲୁଗା। ମାଟି ଉପରେ ଲୋଟି ପଡୁଛି ପ୍ରକୃତି ରାଣୀର ଧୋବ ଫରଫର ଓଢଣୀ । ନଦୀ,ନାଳ,ପୋଖରୀ ହୁଡ଼ାରେ ଏବେ କାଶତଣ୍ଡୀର ମେଳଣ। କାଶତଣ୍ଡିର ଏହି ରୂପଲାବଣ୍ୟ କବିଙ୍କୁ କରୁଛି ଆନମନା। ରାଶିରାଶି କବିତା ରଚନା କରି ସାରସ୍ୱତ ସ୍ରଷ୍ଟାଗଣ କାଶତଣ୍ଡି ଓ ପ୍ରକୃତିର ବନ୍ଦନାରେ ଏକାକାର ହୋଇ ଯାଇଛନ୍ତି । ଦଲକାଏ ପବନରେ ଦୋଳି ଖେଳୁଥିବା କାଶତଣ୍ଡୀର ମୋହ ଏବେ ସମସ୍ତଙ୍କୁ ଆଛନ୍ନ କରି ରଖିଛି । ଶରତ ଆକାଶରେ ଭେଳାଭେଳା ଧଳା ବାଦଲ ସହିତ ତାଳରେ ତାଳ ମିଶେଇ କୁରୁଳି ଉଠୁଛି କାଶତଣ୍ଡୀ । ମହାମାରୀର ମହାତାଣ୍ଡବ ସତ୍ତ୍ୱେ ପ୍ରକୃତି କିନ୍ତୁ ଅଟକି ଯାଇନି କିମ୍ବା ହାରି ଯାଇନି। ବରଂ ସବୁଥର ପରି ଏଥର ବି ନିଜ ଠାଣିରେ ଧରାପୃଷ୍ଠକୁ ଓହ୍ଲାଇ ଆସିଛି କାଶତଣ୍ଡୀ ।